ୟୁନେସ୍କୋର ୫୦ ଆଇକନିକ୍ ବୟନ । ତାଲିକାରେ ଓଡିଶାର ୫ ଐତିହ୍ୟ ବୟନ

230

କନକ ବ୍ୟୁରୋ: ଓଡ଼ିଶା ବୟନ ଶିଳ୍ପକୁ ମିଳିଲା ବିଶ୍ୱ ମାନ୍ୟତା । ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟ ବୟନ । ସମ୍ବଲପୁର, ବ୍ରହ୍ମପୁର, ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦୁଲିପାଟର ପାରମ୍ପରିକ ବୟନ କଳାକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ୟୁନେସ୍କୋର ମାନ୍ୟତା ଏଭଳି ଅନନ୍ୟ ଓ ଐତିହ୍ୟ ସମ୍ପନ୍ନ ବୟନକୁ ପୁଣି ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ୟୁନେସ୍କୋ ପକ୍ଷରୁ ପ୍ରସ୍ତୁତ ହୋଇଛି ଭାରତର ୫୦ଟି ଆଇକନିକ ବୟନ ତାଲିକା । ଏ ସଂପର୍କିତ ଏକ ପୁସ୍ତକ ପ୍ରକାଶ ପାଇଛି । ଏହି ତାଲିକାରେ…

ୟୁନେସ୍କୋ ତାଲିକା
– ଉତ୍ତର ଭାରତର ୧୧
– ଦକ୍ଷିଣ ଭାରତର ୧୧
– ପୂର୍ବ ଭାରତର ୧୦
– ପଶ୍ଚିମ ଭାରତର ୧୦
– ଉତ୍ତର-ପୂର୍ବ ଭାରତର ୪, ଐତିହ୍ୟ ବୟନ ସାମିଲ ହୋଇଛି ।
ପୂର୍ବ ଭାରତର ଯେଉଁ ୧୦ଟି ଐତିହ୍ୟ ବୟନ ଏହି ତାଲିକାରେ ସ୍ଥାନ ପାଇଛି, ତା ଭିତରେ ଓଡିଶାର ୫ଟି ରହିଛି । ପଶ୍ଚିମବଙ୍ଗର ୩ ଓ ବିହାରର ୨ଟି ବୟନ ଏହି ତାଲିକାରେ ସ୍ଥାନ ପାଇଛି ।

ଓଡିଶାର ୫ଟି ଐତିହ୍ୟ ବୟନ ମଧ୍ୟରେ ରହିଛି

  • ସମ୍ବଲପୁରର- ବାନ୍ଧ-ଟାଇ-ଡାଇ ୱେଭିଂ
  • ବ୍ରହ୍ମପୁରର- ଫୋଡ଼ା କୁମ୍ଭ ପାଟ
  • ଖୋର୍ଦ୍ଧାର- ଧଳାପଥର ପର୍ଦ୍ଦା
  • ରାୟଗଡାର- ଡଙ୍ଗରିଆ କନ୍ଧ ବୟନ
  • କେନ୍ଦୁଲି ପାଟ କାଲିଗ୍ରାଫିକ ୱେଭିଂ

୧୯୩୦ରୁ ୪୦ ମସିହାରେ ବେଶ ପ୍ରସାର ଲାଭ କରିଥିଲା ଖୋର୍ଦ୍ଧାର ଧଳାପଥର ପର୍ଦ୍ଦା କଳା । ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏହି ପରଦା ଘରର ଦ୍ୱାରରେ ଓଢଣୀ ପରି ବ୍ୟବହାର ହେଉଥିଲା । ପର୍ଦ୍ଦାରେ ବିଭିନ୍ନ ଦେବାଦେବୀ, ମନ୍ଦିର, ତାଜମହଲ, ଅଶୋକଚକ୍ର, ମୂର୍ତ୍ତି ଓ ମାନଚିତ୍ରର ଆକୃତିକୁ ପର୍ଦ୍ଦା ଉପରେ ଆଙ୍କୁଥିଲେ କାରିଗର । ଏହି ସ୍ୱତନ୍ତ୍ର ବୟନର ସ୍ରଷ୍ଟା ସ୍ୱର୍ଗତ ଉଦୟନାଥ ସାହୁଙ୍କୁ ବ୍ରିଟିଶ୍ ସରକାର ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ୨୦୧୨ ମସିହାରେ ଏହି ଅନନ୍ୟ କଳାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଥିଲା ।

ତେବେ କେତେବେଳେ କଞ୍ଚାମାଲ ଅଭାବ ତ ଆଉ କେତେବେଳେ ସରକାରୀ ଉଦାସୀନତା କାରଣରୁ ଏଭଳି ଅନନ୍ୟ ବୟନ ତାର ସତ୍ତା ହରାଇବାକୁ ଲାଗିଛି । ଉଚିତ ପାରିଶ୍ରମିକ ମିଳୁନଥିବାରୁ ମୁହଁ ଫେରାଇ ନେଉଛନ୍ତି ବୁଣାକାର । ଏତିକି ବେଳେ ୟୁନେସ୍କୋର ମାନ୍ୟତା ଏଭଳି ଅନନ୍ୟ ଓ ଐତିହ୍ୟ ସମ୍ପନ୍ନ ବୟନ ପୁଣି ପୁନରୁଦ୍ଧାର ହୋଇପାରିବ ବୋଲି ଆଶା କରାଯାଉଛି ।