ପର୍ଯ୍ୟଟନକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ମାଗଣା ଭିଜା

174

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା କାଳରେ ଆଜି ଅନେକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ତାହା ମଧ୍ୟରେ ଟୁରିଷ୍ଟ ଓ ଗାଇଡ ମାନଙ୍କ ପାଇଁ ଅନେକ ସହାୟତା ଘୋଷଣା କରାଯାଇଛି ।

ଅର୍ଥମନ୍ତ୍ରୀଙ୍କ ସୂଚନା ମୁତାବକ ୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ମାଗଣାରେ ଭିଜା ଦେବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି କି କରୋନା କଟକଣା ପରେ ଯେବେ ଭିଜା ମିଳିବା ଆରମ୍ଭ ହେବ, ସେତେବେଳେ ପ୍ରଥମେ ଭାରତକୁ ଆସିଥିବା ୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ମାଗଣାରେ ଭିଜା ମିଳିବ । ଏହି ଯୋଜନାରେ ଭାରତକୁ ଆସିଥିବା ପ୍ରଥମ ୫ ଲକ୍ଷ ପର୍ଯ୍ୟଟକ ଲାଭ ଉଠାଇ ପାରିବେ କିମ୍ବା ଏହି ଯୋଜନା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ । ଏହା ମଧ୍ୟରୁ ଯଦି ମାର୍ଚ୍ଚ ୩୧ ପୂର୍ବରୁ ୫ ଲକ୍ଷ ପର୍ଯ୍ୟଟକ ଆସିଗଲେ ସେମାନେ ମାଗଣାରେ ଭିଜା ପାଇ ପାରିବେ ନଚେତ ମାର୍ଚ୍ଚ ୩୧ ୨୦୨୨ ରେ ଏହି ଯୋଜନାର ଭ୍ୟାଲିଡିଟି ଶେଷ ହୋଇଯିବ ।

ଅନ୍ୟପଟେ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ବି ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି କ୍ରମରେ ୧୧ ହଜାରରୁ ଅଧିକ ଟୁରିଷ୍ଟ ଗାଇଡ ଓ ପର୍ଯ୍ୟଟନ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ମାନ୍ୟତା ପ୍ରାପ୍ତ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମାନ୍ୟତା ପ୍ରାପ୍ତ ଭ୍ରମଣ ହୀତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପଲବ୍ଧ କରାଯିବ ।

ଅନ୍ୟପଟେ କରୋନା ମହାମାରୀ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ୫ କିଲୋ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ସରକାର ୯୩.୮୬୯ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଇଛି ।