ଦିଲ୍ଲୀରେ ରାଜ୍ୟପାଳ ସମ୍ମିଳନୀ : ଫୋକସ ‘ନବ ଭାରତ -୨୦୨୨’

40

କନକ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ରାଜ୍ୟପାଳମାନଙ୍କର ୪୮ତମ ସମ୍ମିଳନୀ ଆରମ୍ଭ ହୋଇଛି। ଆଜି ରାଜ୍ୟପାଳମାନେ ନିଜ ରାଜ୍ୟ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବେ। ରାଜ୍ୟପାଳମାନେ ରାଜ୍ୟର ସଫଳତା ଓ ରାଜଭବନ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ଶେଷ ପର୍ଯ୍ୟାୟ ଅଧିବେଶନରେ ଆଲୋଚନାର ସଂକ୍ଷିପ୍ତ ରିପୋର୍ଟ ସମସ୍ତ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ନବ ଭାରତ -୨୦୨୨ପାଇଁ କିପରି କାମ କରିବେ, ଲକ୍ଷ୍ୟକୁ କିପରି ହାସଲ କରିହେବ ସେ ବିଷୟରେ ରିପୋର୍ଟରେ ଉଲ୍ଲେଖ କରାଯିବ । ଗୁଣାତ୍ମକ ଶିକ୍ଷା, ଟ୍ରେନିଂ ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା,ସ୍ୱଚ୍ଛତା,ପ୍ରଦୂଷଣମୁକ୍ତ ପରିବେଶ, ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତାକୁ ଫୋକସ କରାଯିବ ।

ସମ୍ମିଳନୀର ଉଦ୍ଘାଟନ ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସମେତ କିଛି ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଏବଂ ନିତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ମଧ୍ୟ ଉପସ୍ଥିତ ଥିଲେ। ନବ୍ୟ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସବୁସ୍ତରରେ ନିଷ୍ଠାପର ପ୍ରୟାସ କରିବାକୁ ଏହି ସମ୍ମିଳନୀରେ ଆହ୍ଵାନ ଦିଆଯାଇଛି।

ଏହି ଦୁଇ ଦିନିଆ ସମ୍ମିଳନୀକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଥିଲେ। ଏଥିରେ ଓଡ଼ିଶାର ରାଜ୍ୟପାଳ ଏସ୍.ସି ଜମିରଙ୍କ ସମେତ ୨୭ଟି ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ଯୋଗ ଦେଇଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ନ୍ୟୁ ଇଣ୍ଡିଆ-୨୦୨୨, ରାଜ୍ୟମାନଙ୍କର ଉଚ୍ଚଶିକ୍ଷା ତଥା ଦକ୍ଷତା ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।