ଓଡିଶାରେ ୪୩ ହଜାର କୋଟି ନିବେଶ କରିବ ତାଇୱାନ କମ୍ପାନି, ୩୦ ହଜାର ଲୋକେ ନିଯୁକ୍ତି ପାଇବା ସମ୍ଭାବନା

136

କନକ ବ୍ୟୁରୋ : ଓଡିଶାରେ ପୁଞ୍ଜି ନିବେଶ କରିବ ତାଇୱାନର କଂପାନୀ । ପାରାଦୀପରେ ୪୩ ହଜାର କୋଟି ଟଙ୍କା ବ୍ୟୟରେ ପେଟ୍ରୋଲିୟମ କ୍ରାକର କମ୍ପାନି ପ୍ରତିଷ୍ଠା ପ୍ରସ୍ତାବ ଆସିଛି । ତାଇୱାନର ଏକ ପ୍ରତିନିଧି ଦଳ ପାରାଦୀପ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପ ହେଲେ ବିପୁଳ ନିଯୁକ୍ତି ସୃଷ୍ଟି ସହ କ୍ଷୁଦ୍ର ସହାୟକ କାରଖାନା ଖୋଲିବା ସୁଯୋଗ ମିଳିବ ବୋଲି କୁହାଯାଇଛି ।

ଓଡିଶାରୁ ସବୁଠାରୁ ବଡ ବିଦେଶୀ ପୁଞ୍ଜିନିବେଶ ପୋସ୍କୋ ଚାଲିଯିବା ପରେ ତାଇୱାନରୁ ଆସିବାକୁ ଯାଉଛି ବଡ ନିବେଶ । ୪୩ ହଜାର କୋଟି ଟଙ୍କାର ଏକ ବଡ ଧରଣର ପୁଞ୍ଜିନିବେଶ କରିବା ପାଇଁ ତାଇୱାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତାଇୱାନ ସିପିସି କର୍ପୋରେସନର ସଭାପତି ସୁ-ଚୀନ-ଲିଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛି । ପାରାଦୀପରେ ଏହି କମ୍ପାନି ଏକ ପେଟ୍ରୋଲିୟମ କ୍ରାକର କମ୍ପାନି ପ୍ରତିଷ୍ଠା କରିବ ବୋଲି ଜଣାପଡିଛି ।

ତାଇୱାନର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସହ ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ପାରାଦୀପରେ ଅନ୍ୟ କ୍ଷୁଦ୍ର ସହାୟକ କାରଖାନା ଖୋଲିବା ପାଇଁ ସୁଯୋଗ ମିଳିବ ବୋଲି ନବୀନ କହିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯିବ । ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯଥେଷ୍ଟ ସୁଯୋଗ ରହିଛି । ସେଥିଲାଗି ଶିଳ୍ପ ବିକାଶ ଯୋଜନା- ୨୦୨୫ ଅନୁଯାୟୀ ମୁଖ୍ୟମନ୍ତ୍ରୀ କେମିକାଲ ଓ ପେଟ୍ରୋ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି ।

ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି, ଜଳ ଓ ବିଦ୍ୟୁତ୍ ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ତାଇୱାନ ବ୍ୟବସାୟିକ ଟିମର ସଦସ୍ୟ । ସେହିପରି କଂଚାମାଲ ପାଇଁ ଭାରତୀୟ ତୈଳ ନିଗମ ସହ କଥା ହୋଇଥିବା ମଧ୍ୟ କହିଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଏହି ଟିମ୍ ପାରାଦୀପ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ ମଧ୍ୟ କରିଛନ୍ତି ।