ନିଲାମ ହେବ ୪୦ ଖଣି ! ରେଲୱେ ସାଇଡିଂ ପ୍ରଦୂଷଣ ରୋକିବାକୁ ନିଆଯିବ ପଦକ୍ଷେପ : ଖଣିମନ୍ତ୍ରୀ

472

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ୪୦ଟି ଖଣିର ନିଲାମ ଖୁବଶୀଘ୍ର ହେବ। ଏହି ନୂଆ ନିଲାମ ପ୍ରକ୍ରିୟା କିଭଳି ସୁରୁଖୁରୁରେ ହେବ ଏବଂ କଞ୍ଚାମାଲ ପାଇଁ ଯେଭଳି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଅସୁବିଧାରେ ନ ପଡ଼ିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦୁଝର ଗସ୍ତ ଅବସରରେ ସୂଚନା ଦେଇଛନ୍ତି। ଖଣି ଓ ଇସ୍ପାତ ମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ମଲ୍ଲିକ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି। ଗତକାଲି ମନ୍ତ୍ରୀ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଓ ଅନ୍ୟ କର୍ମଚାରୀଙ୍କ ସହିତ ଯୋଡ଼ା ଗସ୍ତ କରିଥିଲେ। ଯୋଡ଼ାର ପୌରପାଳିକା ସଭାଗୃହରେ ଏକ ସମୀକ୍ଷା ବୈଠକ କରି ଖଣିଜ ପରିବହନ ଉପରେ ସମୀକ୍ଷା କରିଥିଲେ।

ପରେ କେନ୍ଦୁଝର ଫେରିବା ଅବସରରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ,ଖୁବଶୀଘ୍ର ୪୦ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଏହି ନିଲାମ ପ୍ରକ୍ରିୟା ମଧ୍ୟରେ ସାମିଲ ଥିବା ଖଣିଗୁଡିକରେ ଲୌହ ଖଣି, ମାଙ୍ଗାନିଜ, ବକ୍ସାଇଟ୍ ଓ ଚୂନ ପଥର ଖଣି ରହିଛି। ସବୁଠୁ ବଡ଼ କଥା ହେଉଛି ଏହି ସବୁ ଖଣି ନିଲାମ ପ୍ରକ୍ରିୟା ମଧ୍ୟରେ ସାମିଲ ଖଣି ମଧ୍ୟରୁ ୨୪ଟି ଖଣି ଏବେ କାର୍ଯ୍ୟକ୍ଷମ ରହିଛି। ଅବଶିଷ୍ଟ ଖଣିଗୁଡ଼ିକ ନୂଆ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ସେହିପରି ନିଲାମ ପ୍ରକ୍ରିୟା ବେଳେ ଯେଭଳି କୌଣସି ଶିଳ୍ପ ପ୍ରତିଷ୍ଠାନ କଞ୍ଚାମାଲ ପାଇଁ ପ୍ରଭାବିତ ନ ହେବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି।

ବନ୍ଦ ହେବାକୁ ଥିବା ଖଣିଗୁଡ଼ିକର କାର୍ଯ୍ୟ ଅବଧି ଶେଷ ହେବା ପରେ ଉକ୍ତ ଖଣିଗୁଡ଼ିକ ଉତ୍ତୋଳନ କରିଥିବା ଖଣିଜ ଦ୍ରବ୍ୟକୁ ଶିଳ୍ପ ପ୍ରତିଷ୍ଠାନକୁ ପଠାଇବା ପାଇଁ ଅନୁମତି ରହିଛି। ଲିଜଧାରୀ ଉକ୍ତ ଖଣିରେ କାର୍ଯ୍ୟ ଆରମ୍ଭ କରିବା ବେଳକୁ ଯେମିତି ଶିଳ୍ପ ପ୍ରତିଷ୍ଠାନଗୁଡିକ ଅସୁବିଧାରେ ନ ପଡ଼ିବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ସେ କହିଥିଲେ ଯେ ଖଣି ବନ୍ଦ ପରେ କାମ କରୁଥିବା କୁଶଳୀ ଓ ଅଣ କୁଶଳୀ ଶ୍ରମିକଙ୍କୁ ଯେଭଳି ଛଟେଇ କରା ନଯିବ, ସେ ସଂପର୍କରେ ନୂଆ ଲିଜଧାରୀଙ୍କୁ ଅବଗତ କରାଯିବ।

କେନ୍ଦୁଝର ଜିଲ୍ଲାରେ ଥିବା ବିଭିନ୍ନ ରେଲୱେ ସାଇଡିଂ ଯଥା ନୟାଗଡ଼, ବାଂଶପାଣି, ଜୁରୁଡ଼ି, ପର୍ଜନପୁରରେ ପ୍ରଦୂଷଣ ମାତ୍ରା ଅଧିକ। ଏଠାରେ ପ୍ରଦୂଷଣ ହ୍ରାସ ଓ ମୁଖ୍ୟ ରାସ୍ତା ସହିତ ଏହାର ସଂଯୋଗୀକରଣ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ ଥିବା ଶିଳ୍ପ ପ୍ରତିଷ୍ଠାନକୁ ସରକାର ସହଯୋଗ କରିବେ ବୋଲି ସେ ସୂଚନା ଦେଇଛନ୍ତି।