ଅନନ୍ତନାଗରେ ପୋଲିସ – ଆତଙ୍କବାଦୀ ଗୁଳିବିନିମୟ । ୪ ଆତଙ୍କୀ ନିହତ , ପୋଲିସର ସର୍ଚ୍ଚ ଅପରେଶନ ଜାରି । ପୁରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

137

କନକ ବ୍ୟୁରୋ : କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଲଢେଇରେ ବୁଧବାର ଦିନ ଭାରତୀୟ ସେନାକୁ ବଡ ସଫଳତା ମିଳିଛି    । ଅନନ୍ତନାଗ ଜିଲ୍ଲା ଶାଲଗୁଲ ଶ୍ରୀନଗୁଫୱାରା ଜଙ୍ଗଲରେ ସେନା ଗୁଳିରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ମରିଥିବା ଆତଙ୍କବାଦୀ ମାନଙ୍କର ପରିଚୟ ମିଳିପାରି ନାହିଁ । ଆତଙ୍କବାଦୀଙ୍କ ମୃତ୍ୟୁପରେ ସେନା ସେମାନଙ୍କ ଠାରୁ ଅନେକ ମାରଣାସ୍ତ୍ର ଜବତ୍ କରିଛି । ଅନ୍ୟ କିଛି ଆତଙ୍କବାଦୀ ଜଙ୍ଗଲରେ ଲୁଚିଥିବା ସନ୍ଦେହ କରି ସେନା ତରଫରୁ ସେଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି ।

ପୋଲିସର ଜଣେ ବରିଷ୍ଠ ଅଧିକାରୀ ୪ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏହି ଆତଙ୍କବାଦୀ ମାନେ କେଉଁ ସଂଗଠନ ସହିତ ଜଡିତ ଓ ସେମାନଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାସହ ପୁରା ଅନନ୍ତନାଗ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ପୋଲିସ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏକ ବିଶ୍ୱସନୀୟ ସୂତ୍ରରୁ ଖବର ମିଳିଥିଲା କି ଶାଲଗୁଲ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଖବର ପାଇବା ପରେ ଜମ୍ମୁ-କାଶ୍ମୀର ପୋଲିସର ଏସଓଜି, ସେନା ଓ ସିଆରପିଏଫ୍ ର ଟିମ୍ ଜଙ୍ଗଲରେ ପହଂଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହାକୁ ଦେଖି ଆତଙ୍କବାଦୀ ମାନେ ସୁରକ୍ଷାବଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଯବାବରେ ସୁରକ୍ଷାବଳ ବି ଗୁଳି ଚଳାଇଥିଲା । ଏଭଳି ଭାବେ ୩ ରୁ ୪ ଘଂଟା ଧରି ଉଭୟ ପକ୍ଷଙ୍କ ତରଫରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।