ଆଜି ଗାଁକୁ ଫେରୁଛନ୍ତି ୪ ଓଡ଼ିଆ ହକି ଖେଳାଳୀ

ଝାରସୁଗୁଡ଼ା ବିମାନ ବନ୍ଦରରେ ୪ ହକି ଖେଳାଳି ପହଂଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା; ବାଜା ବଜାଇ, ଫୁଲ ମାଳ ପକାଇ ପାରମ୍ପରିକ ଢଙ୍ଗରେ ସମ୍ବର୍ଦ୍ଧନା ଦିଆଯାଇଛି

262

କନକ ବ୍ୟୁରୋ : ଝାରସୁଗୁଡ଼ା ବିମାନ ବନ୍ଦରରେ ୪ ହକି ଖେଳାଳି ପହଂଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବାଜା ବଜାଇ, ଫୁଲ ମାଳ ପକାଇ ପାରମ୍ପରିକ ଢଙ୍ଗରେ ସମ୍ବର୍ଦ୍ଧନା ଦିଆଯାଇଛି । ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ସାମିଲ ସୁନ୍ଦରଗଡ଼ ଜିଲ୍ଲାର ୪ ଖେଳାଳି ଦିଲ୍ଲୀରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସୁନ୍ଦରଗଡ଼ ଅଭିମୁଖେ ଯାଇଛନ୍ତି । ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଆଜି ନିଜ ଗାଁ ମାଟିକୁ ଫେରୁଛନ୍ତି । ଅଲିମ୍ପିକ୍ସରେ ପୁରୁଷ ହକି ଦଳର ପଦକ ବିଜୟ ଓ ମହିଳା ହକି ଦଳର ଲଢୁଆ ପ୍ରଦର୍ଶନ ପରେ ଚାରିଆଡୁ ଏହି ଖେଳାଳିମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।  ସେମାନଙ୍କ ସହ ପଦ୍ମଶ୍ରୀ ଦିଲୀପ ତିର୍କୀ ବି ପହଞ୍ଚିଛନ୍ତି ।

ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ଼ ବାସୀଙ୍କ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଵିମାନ ଯୋଗେ ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ୪ ଖେଳାଳି ଓହ୍ଲାଇବା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଵିଭାଗ ଅଧିକାରୀମାନେ ସେମାନଙ୍କୁ ସ୍ବାଗତ କରି ୨୨ କିଲୋମିଟର ଦୂର ସୁନ୍ଦରଗଡ଼କୁ ଏକ ସ୍ବତନ୍ତ୍ର କାରକେଡରେ ପାଛୋଟି ଆଣିଥିଲେ । ପାରିଜାତ ପାର୍କରେ ପହଞ୍ଚିବା ପରେ ଏକ ଖୋଲା ଜିପରେ ଦୁଲଦୁଲି ବାଜାର ତାଳେତାଳେ ବାଇକ ଶୋଭାଯାତ୍ରାରେ ହକିତାରକାମାନେ ସହର ପରିକ୍ରମା କରିଥିଲେ ।

ଅଲିମ୍ପିକ୍ ଖେଳିବା ପରେ ହକି ଖେଳାଳିମାନଙ୍କ ପ୍ରଥମ ସୁନ୍ଦରଗଡ଼ ଗସ୍ତ ଥିବାରୁ ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସହର ପରିକ୍ରମା ବେଳେ ରାସ୍ତାରେ ସୁନ୍ଦରଗଡ଼ ପବ୍ଲିକ୍ ସ୍କୁଲ ଓ ବିଭିନ୍ନ ଛକରେ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସହର ପରିକ୍ରମା ପରେ ଖେଳାଳିମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ଅପରାହ୍ନ ୨ଟାରେ ବିକାଶ ଭବନରେ ହକିତାରକାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମ ରହିଛି। ଏହାପରେ ବିଶେଷ ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ନିଜ ନିଜ ଜନ୍ମ ଗାଁକୁ ଯିବେ ବୋଲି ସୂଚନା ରହିଛି।