ବନ୍ଦ ଘରୁ ଗୋଟିଏ ପରିବାରର ୪ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

230

କନକ ବ୍ୟୁରୋ: ବରଗଡ଼ ଭେଡେନ୍ ଜାମଡୋଲ ଗାଁରେ ଛାତିଥରା ଘଟଣା । କନ୍ଦପଡ଼ାରେ ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ସ୍ୱାମୀ-ସ୍ତ୍ରୀ-ପୁଅ-ଝିଅ ବୋଲି ଜଣାପଡ଼ିଛି । ୬୫ ବର୍ଷୀୟ ଶେଷଦେବ ମେହେର, ତାଙ୍କ ପତ୍ନୀ ୬୦ ବର୍ଷୀୟା କ୍ଷୀରେଶ୍ୱରୀ ମେହେର, ୩୦ ବର୍ଷର ପୁଅ ଅରବିନ୍ଦ ମେହେର ଏବଂ ୨୨ ବର୍ଷର ଝିଅ ଶ୍ରୀବାଣୀ ମେହେରଙ୍କ ମୃତଦେହ ଘର ଭିତରେ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସଂଧ୍ୟା ସମୟରେ ଲୋକ ଯିବାଆସିବା କରୁଥିବା ବେଳେ ସେହି ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସଂଦେହ ପ୍ରକାଶ ପାଇଥିଲା । ପୁଲିସକୁ ଏ ନେଇ ଖବର ଦେବା ପରେ ଆଇଆଇସି ସଂଗୀତା ମହାପାତ୍ର, ଫାଣ୍ଡି ଅଧିକାରୀ, ଅତିରିକ୍ତ ତହସିଲଦାରଙ୍କ ସମେତ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରିଥିଲେ ।

ଘର ଆଗରେ ପୁଲିସ ଫୋର୍ସ ମୂତୟନ କରାଯାଇଛି । ଘର ପଛ ପଟୁ କବାଟ ବନ୍ଦ ଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା, ଏ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାଳୀପୂଜା ଅବସରରେ ୪ ଦିନ ହେବ ଗାଁରେ ଯାତ୍ରା ଚାଲିଥିବା ବେଳେ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ତେଣୁ କବାଟ ବନ୍ଦ ଥିବାରୁ ପଡ଼ୋଶୀ ଲୋକ କିଛି ସଂଦେହ କରିନଥିଲେ । ଭାବିଥିଲେ ଯାତ୍ରା ଦେଖି ସେମାନେ ଶୋଇ ପଡ଼ିଥିବେ । ମୃତ ଶେଷଦେବ ମେହେରଙ୍କ ପରିବାର ସହ କାହାର ଶତ୍ରୁତା ନଥିବା କହୁଛନ୍ତି ଗାଁ ଲୋକ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆସନ୍ତାକାଲି ଶବ ଉଦ୍ଧାର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହା ୨-୩ ଦିନ ତଳର ଘଟଣା ବୋଲି ସଂଦେହ କରାଯାଉଛି ।