କନକ ବ୍ୟୁରୋ : ଏବେ ସାପ୍ତାହିକ ଛୁଟି ସପ୍ତାହକ ଅନୁସାରେ ନୁହେଁ ବରଂ ଘଣ୍ଟା ହିସାବରେ ହେବ । କେନ୍ଦ୍ର ସରକାର ଦେଶରେ ନୂୂଆ ଲେବର କୋଡ ବିଲ୍ ଆଣିବାକୁ ଯାଉଛନ୍ତି । ଏହି ବିଲ୍ ସଂସଦରେ ପାରିତ ହେବା ପରେ ସପ୍ତାହକରେ ଚାରି ଦିନ କାମ ଏବଂ ତିନି ଦିନ ଆରମ ମିଳିବ । ଆଉ ସିଫ୍ଟରେ ଅଧିକ ୧୫ ମିନିଟ୍ କାମ କଲେ ଓଭର ଟାଇମ୍ ପଇସା ମିଳିବ । ଆସନ୍ତୁ ଜାଣିବା ଏହି ପ୍ରସ୍ତାବିତ ବିଲରେ କଣ ରହିଛି ।
କେନ୍ଦ୍ର ସରକାର ଆଣିପାରନ୍ତି ନୂଆ ଲେବର କୋଡ ବିଲ୍ । ଯାହାକୁ ନେଇ କର୍ମଚାରୀ କେତେ ଘଣ୍ଟା କାମ କରିବେ ଚର୍ଚ୍ଚା ଜୋର ଧରିଛି । ନୂଆ ଲେବର କୋଡ ବିଲ୍ ଅନୁସାରେ ସପ୍ତାହକରେ ଦୁଇ ଦିନ ବଦଳରେ ତିନି ଦିନ ଛୁଟି ନେଇ ହେବ । କିନ୍ତୁ ହଁ ଏଥିପାଇଁ ଅଲଗା ଦିନରେ ଅଧିକ କାମ କରିବାକୁ ହେବ । ନୂଆ ଲେବର କୋଡରେ ଓଭର ଟାଇମ୍ କାମ କଲେ ମଧ୍ୟ ଅଧିକ ପଇସା ମିଳିବାର ପ୍ରାବଧାନ ରହିଛି ।
ନୂଆ ଲେବର କୋଡରେ ପ୍ରତିଦିନ କାମ କରିବାର ଅବଧି ବଢାଇ ୧୨ ଘଂଟା କରିବାକୁ ପ୍ରସ୍ତାବ ରହିଛି । ସେହିପରି ସପ୍ତାହକରେ ମୋଟ୍ ୪୮ ଘଂଟା କାମ କରିବାର ପ୍ରାବଧାନ ରହିଛି । ଅର୍ଥାତ୍ ପ୍ରତିଦିନ ୮ ଘଣ୍ଟା କାମ କଲେ ୬ ଦିନ କାମ କରିବାକୁ ହେବ । କିନ୍ତୁ ଯଦି ଆପଣ ପ୍ରତିଦିନ ୧୨ ଘଣ୍ଟା ଅଫିସରେ କାମ କରୁଛନ୍ତି ତାହେଲେ ସପ୍ତାହକରେ ୪ ଦିନ କାମ କରିବେ ୩ ଦିନ ଛୁଟି ନେଇପାରିବେ ।
ନୂଆ ଲେବର କୋଡ ଲାଗୁ ହେଲେ ଯଦି ଆପଣ ଆପଣଙ୍କ ଡ୍ୟୁଟି ଟାଇମରୁ ୧୫ରୁ ୩୦ ମିନିଟ୍ ଅଧିକ ସମୟ କାମ କରୁଛନ୍ତି ତାହେଲେ ଆପଣଙ୍କ ଓଭର ଟାଇମର ପଇସା ଦରମା ବାଦ୍ ଅଲଗା ମିଳିବ । ଏହି ଓଭର ଟାଇମର ପଇସା ମୋଟ୍ ଦରମାର ପ୍ରତିଦିନ ହିସାବରେ ଅଧଘଣ୍ଟାଏ ପାଇଁ ଦିଆଯିବ । ଏବେର ନିୟମ ଅନୁସାରେ ଅଧଘଣ୍ଟାଏ ଅତିରିକ୍ତ କାମ କଲେ ଏହାକୁ ଓଭର ଟାଇମରେ ଗଣତି କରାଯାଏ ନାହିଁ ।
ସେହିପରି ନୂଆ ଲେବର କୋଡ ଅନୁସାରେ କୌଣସି କର୍ମଚାରୀକୁ ଏକାଥରେ ୫ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଅନୁମତି ନାହିଁ । ୫ ଘଣ୍ଟା କାମ କରିବା ପରେ କର୍ମଚାରୀଙ୍କୁ ଅଧଘଣ୍ଟାଏ ବିରତି ଦେବାର ନିୟମ ରହିଛି । ସରକାରଙ୍କ ନୂଆ ନିୟମ ଏପରି ତିଆରି ହୋଇଛି ଯେମିତି କର୍ମଚାରୀ କମ୍ପାନୀର ଶୋଷଣର ଶିକାର ହେବେନି ଏବଂ କମ୍ପାନୀ ମଧ୍ୟ କ୍ଷତିରେ ପଡିବ ନାହିଁ । ସେହିପରି ନୂଆ ନିୟମ ଅନୁସାରେ କର୍ମଚାରୀଙ୍କ ଦରମାର ୫୦ ପ୍ରତିଶତ ମୂଳ ଦରମା ରହିବ । ଆଉ ବାକି ୫୦ ପ୍ରତିଶତ ଅନ୍ୟାନ୍ୟ ସୁବିଧା ସୁଯୋଗ ଏବଂ ଭତା ରହିଛି ।
ଏବେର ନିୟମ ଅନୁସାରେ କମ୍ପାନୀ ମୋଟ୍ ଦରମାର ବେସିକ ସାଲାରୀ ବା ମୂଳ ବେତନ ୨୫-୩୦ ପ୍ରତିଶତ ରଖିଛି । ଆଉ ବାକି ୭୦-୭୫ ପ୍ରତିଶତ ଅନ୍ୟାନ୍ୟ ଭତ୍ତା ରହିଛି । ଏଭଳି ହେବା ଦ୍ୱାରା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଧିକ ସାଲାରୀ ଆସେ ।
ଆଉ ବିଭିନ୍ନ ପ୍ରକାର କଟନୀ ଛଟନୀ ମୂଳ ଦରମାରୁ ହୁଏ । ତେଣୁ ନୂଆ ଲେବର କୋଡ ଲାଗୁ ହେଲେ ହାତକୁ ମିଳୁଥିବା ଦରମାର ୭-୧୦ ପ୍ରତିଶତ କମ୍ ଆସିବ । କିନ୍ତୁ ଏହାକୁ ନେଇ କର୍ମଚାରୀ ଟେନସନ ହେବାର ଆବଶ୍ୟକତା ନାହିଁ । କାରଣ ମୂଳ ବେତନ ଅନୁସାରେ ଆପଣଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫକୁ ଅଧିକ ଆସିବ । ଯାହାକି ଏବେ ଅପେକ୍ଷା ଅଧିକ ରହିବ । ବେସିକ ସାଲାରୀରୁ ୧୨ ପ୍ରତିଶତ କମ୍ପାନୀ ଦେବ ଏବଂ ୧୨ ପ୍ରତିଶତ କର୍ମଚାରୀଙ୍କ ଆକାଉଂଟରୁ କଟିବ । ଏମିତି ହେଲେ ପିଏଫ ଦୁଇ ଗୁଣା ବଢିବ ଏବଂ ଗ୍ରାଚୁଏଟି ବି ଦୁଇ ଗୁଣା ବଢିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/34-19.jpg)