ମାଆ ହତ୍ୟା ଅଭିଯୋଗରେ ଜେଲରେ ବାପା…୫ ଜୀବନ ଉପରେ ଦୁଃଖର ପାହାଡ…ଓଳିଏ ଖାଇଲେ ଓଳିଏ ଉପାସରେ ଶୋଉଛନ୍ତି ୪ ଶିଶୁ…ପିଲାଙ୍କ ମୁହଁରେ ଆହାର ଦେବାରେ ଅସମର୍ଥ ୯୦ ବର୍ଷର ଜେଜେମାଆ

ମା’ କୋଳ ଖୋଜୁଛି ୯ ମାସର ଶ୍ରାବଣୀ

695

କନକ ବ୍ୟୁରୋ: ମାଆ ତୁ ଚାଲିଗଲୁ, ଆମ ମୁଣ୍ଡରୁ ତୋ ପଣତ କାନି ହଟି ଯାଇଥିଲା । ଆଉ ଏବେ ତୋ ହତ୍ୟା ଅଭିଯୋଗରେ ବାପା ଜେଲରେ । କ’ଣ ଖାଇବୁ? କେମିତି ବଂଚିବୁ? ଆମ କଥା ବୁଝିବ କିଏ? ଏଇ ୯୦ ବର୍ଷିୟ ଜେଜେ ମାଆ । ଯିଏ ନିଜେ ବଂଚିବା ପାଇଁ ଅନ୍ୟର ସାହାରା ଖୋଜୁଛି, ସେ ଆମକୁ ସାହା ହେବ ! ମାଆ ଆଉ ଥରେ ଫେରିଆ, ତୋ କୋଳ ଖୁଜୁଛି ତୋ ୯ ମାସର କୁନି ଝିଅ ଶ୍ରାବଣୀ । ହେଲେ ସତରେ କଣ ତୁ ଆଉ ଫେରିବୁ , ତୁ ଆସିବୁନି, ତୁ ପରା ଅଫେରା ରାଇଜକୁ ଚାଲି ଯାଇଛୁ । ତୁ ତ ଆକାଶର ତାରା ହୋଇଯାଇଛୁ ।

 

ଏ ମିତିକି କିଛି ପ୍ରଶ୍ନକୁ ନିଜ ମନରେ ମାରି ଆଶା ଆଉ ଆଶଙ୍କାରେ ଜୀବନ ଅତିବାହିତ କରୁଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗୋପକୂଳ ଗାଁର ଦଶରଥ ଜେନାଙ୍କ ୪ ପିଲା । ବୋହୂ ଝିନା ରାଣୀଙ୍କ ହତ୍ୟା ମାମଲାରେ ପୁଅ ଦଶରଥ ଜେଲରେ ଥିବା ବେଳେ ୩ ନାତୁଣୀ ଓ ଗୋଟିଏ ନାତି ପାଇଁ ସାହା ଜେଜେମାଆ ୯୦ ବର୍ଷିୟ ଜେଜେମାଆ କୁମୁଦିନୀ ଜେନା । ଯିଏ ଜୀବନର ଶେଷ ପାହାଚରେ ସାହାରା ଖୋଜୁଛନ୍ତି ତାଙ୍କ କୋଳରେ ଶୋଇ ମାଆ କୋଳକୁ ଝୁରୁଛି ୯ ମାସର କୁନି ଝିଅ ଶ୍ରାବଣୀ ।

 

ତ୍ରେତୟାରେ ରାଜା ଦଶରଥ ସ୍ତ୍ରୀଙ୍କୁ ଦେଇଥିବା ସତ୍ୟ ପାଇନ ପାଇଁ ପୁଅ ରାମଚନ୍ଦ୍ରକୁ ବନବାସ ପଠାଇଥିଲେ । ଆଉ ଏ ଦଶରଥ ନିଜ ସ୍ତ୍ରୀଙ୍କ ହତ୍ୟା ମାମଲାରେ ଜେଲ ଭୋଗୁଛନ୍ତି । ଆଉ ସେ-ଜେଲ ଯିବା ପରେ ତାଙ୍କ ୧୬ ବର୍ଷର ଦୁଇ ଯାଆଁଳା ଝିଅ ଗଙ୍ଗୋତ୍ରୀ ଓ ଗାୟତ୍ରୀ, ୪ ବର୍ଷର ପୁଅ ଏବଂ ୯ ମାସର ଝିଅ ଶ୍ରାବଣୀ ଓଳିଏ ଖାଇଲେ ଓଳିଏ ଭୋକିଲା ପେଟରେ ଶୋଉଛନ୍ତି । କାରଣ ସେମାନଙ୍କ ମୁହଁରେ ଆହାର ଦେବାରେ ଅସମର୍ଥ ୯୦ ବର୍ଷିୟ ଜେଜେମାଆ ।

 

ସୂଚନା ଅନୁସାରେ, ଗତ ୨୦ ତାରିଖରେ ଝୁନା ରାଣୀଙ୍କ ଦେହ ହଠାତ ଖରାପ ହୋଇଯାଇଥିଲା । ସ୍ୱାମୀ ଦଶରଥ କାମକୁ ଯାଇଥିବା ବେଳେ ଝୁନାଙ୍କୁ ପଡୋଶୀ ମଙ୍ଗଳପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝୁନାଙ୍କ ମୃତ୍ୟୁ ପରେ ତାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପଘର ଲୋକ । ଆଉ ଏହି ମାମଲାରେ ପୁଲିସ ସ୍ୱାମୀ ଦଶରଥଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି । ଆଉ ଏବେ ଭୋକ ଉପାସରେ ଦୁର୍ଦ୍ଦିନରେ ଜୀବନ ଜିଉଁଛନ୍ତି ୪ ପିଲା ଓ ଜେଜେମାଆ ।