କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତରେ କେପଟାଉନ୍ ଟେଷ୍ଟ । ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆବଶ୍ୟକ ଆଉ ୧୧୧ ରନ୍ । ସେହିପରି ଭାରତକୁ ଦରକାର ଆଉ ୮ଟି ୱିକେଟ୍ । ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ଟିମ୍ ଇଣ୍ଡିଆ । ଏକମାତ୍ର ଖେଳାଳି ଭାବେ ରୁଷଭ ପନ୍ଥ ଶତକ ହାସଲ କରିଥିଲେ । ସେ ୧୩୯ ବଲ୍ରେ ଠିକ୍ ୧୦୦ ରନ୍ କରି କ୍ରିଜ୍ରେ ଥିଲା ବେଳେ ଯଶ୍ପ୍ରୀତ୍ ବୁମ୍ରାଙ୍କ ୱିକେଟ୍ ପତନ ସହ ଭାରତ ପାଳି ଶେଷ ହୋଇଯାଇଥିଲା । ହେଲେ ପନ୍ତ୍ଙ୍କ ବୀରତ୍ବପୂର୍ଣ୍ଣ ପାଳି ସମସ୍ତଙ୍କ ନଜରରେ ରହିଥିଲା ।
ଭ୍ରମଣକାରୀ ଦଳର ଅନ୍ୟ ସମସ୍ତ ବ୍ୟାଟର୍ ଘରୋଇ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲରଙ୍କ ଆଗରେ ୱିକେଟ୍ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲା ବେଳେ ପନ୍ତ୍ ୭୧.୯୪ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ତାଙ୍କ ଶକତୀୟ ପାଳିରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ଗତ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପାଳି ଖେଳି ଭାରତକୁ ଟେଷ୍ଟ୍ ବିଜୟ ଭେଟିଦେବା ପରେ କେପ୍ଟାଉନ୍ରେ ଶତକ ପନ୍ତ୍ଙ୍କ ପାଇଁ ଆଉ ଏକ ସ୍ମରଣୀୟ ପ୍ରଦର୍ଶନ ଥିଲା । ପନ୍ତ୍ ଏପର୍ଯ୍ୟନ୍ତ ଭାରତ ପାଇଁ ୨୮ ଟେଷ୍ଟ୍ ଖେଳିଥିଲା ବେଳେ ମୋଟ ୧୭୩୫ ରନ୍ କରିସାରିଛନ୍ତି । ସେଥିରେ ୪ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ ରହିଛି ।
ଏସିଆ ବାହାରେ ମଧ୍ୟ ଜଣେ ୱିକେଟ୍ରକ୍ଷକ ଭାବେ ଟେଷ୍ଟ୍ରେ ଶତକ ହାସଲ କରିବାରେ ପନ୍ତ୍ ଚତୁର୍ଥ ଭାରତୀୟ ହୋଇଛନ୍ତି । ବିଜୟ ମଞ୍ଜରେକର, ଅଜୟ ରାତ୍ରା ଓ ରିଦ୍ଧିମାନ ସାହା ଥରେ ଲେଖାଏଁ ଶତକ ଜମାଇଥିଲା ବେଳେ ପନ୍ତ୍ କିନ୍ତୁ ୪ ବର୍ଷ ଭିତରେ ତିନି ଥର ଏହି ସଫଳତା ହାତେଇଛନ୍ତି । ତେଣୁ ଆଜିର ଦିନ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।