ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି । ବରଗଡରେ ଜଳସେଚନ ପାଇଁ ୩୪୦ କୋଟି । ୨୬ ହଜାର ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ

42

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାରେ ଜଳସେଚନ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏ ସଂକ୍ରାନ୍ତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଆଜି ମୋହର ଲଗାଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏକାଧିକ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ କନ୍ଧମାଳ, ଯାଜପୁର ଜିଲ୍ଲାର କିଛି ଅଞ୍ଚଳ ସାମିଲ ଅଛି। କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ବରଗଡ଼ ଜିଲ୍ଲାରେ ଜଳସେଚନକୁ ସୁନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଏହି କ୍ରମରେ ବିଜେପୁର, ସୋହେଲା, ବରପାଲି, ଡୁଙ୍ଗୁରାପାଲିର ବ୍ଲକର ୨୬ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ସୁନିଶ୍ଚିତ କରାଯାଇଛି। ହୀରାକୁଦ ଡ୍ୟାମର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ବରଗଡ଼ ମୁଖ୍ୟ କେନାଲର ୩୪.୧୦ କିଲୋମିଟରରୁ ଉତ୍ତୋଳନ ବ୍ୟବସ୍ଥା ହୋଇଥିଲା। ପ୍ରକଳ୍ପ କାର୍ୟ୍ୟକାରୀ କରିବାକୁ ହେଲେ ମୁଖ୍ୟ କେନାଲ ଲାଇନିଂ ସହିତ ତତ୍‌ସଂଲଗ୍ନ ନିର୍ମାଣର ସଂପ୍ରସାରଣ ଓ ମରାମତି ବି ଆବଶ୍ୟକ। ଏହି କାର୍ୟ୍ୟ ଲାଗି ବରଗଡ଼ ମୁଖ୍ୟ କେନାଲକୁ ଅନ୍ୟୂନ ୨ବର୍ଷ ବନ୍ଦ କରିବାକୁ ହେବ। ବରଗଡ଼ ମୁଖ୍ୟ କେନାଲ ବନ୍ଦ ହେଲେ ଜଳସେଚନ ବାଧାପ୍ରାପ୍ତ ହେବ ଓ କେନାଲ ଉପରେ ନିର୍ଭର କରୁଥିବା ଚାଷୀ ବି ଅସନ୍ତୁଷ୍ଟ ହୋଇଥାନ୍ତେ।

ଏହାକୁ ଦୃଷ୍ଟିରେ କ୍ୟାବିନେଟ୍ ଏକ ବିକଳ୍ପ ପ୍ରସ୍ତାବ ହାତକୁ ନେଇଛନ୍ତି। ବରଗଡ଼ ମୁଖ୍ୟ କେନାଲର ହେଡ୍ ରେଗୁଲେଟରଠାରୁ ସିଧାସଳଖ ୩୪.୧୦ କିଲୋମିଟର ପର୍ୟ୍ୟନ୍ତ ପାଇପ ବିଛାଇ ଜଳ ଉତ୍ତୋଳନ କରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଇ ଦିଆଯିବ। ଏଥିଲାଗି ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ୪ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ ହେଁ, ଏଲ୍‌ ଆଣ୍ଡ୍‌ ଟିକୁ ୩୪୦ କୋଟି ୩୬ଲକ୍ଷ ୧୬ ପଇସା ମୂଲ୍ୟରେ ଏହି ପ୍ରକଳ୍ପ ଦିଆଯାଇଛି। ସେ ହେଉଛି ସର୍ବନିମ୍ନ ବିଡର୍। ୩୦ ମାସ ମଧ୍ୟରେ କାର୍ୟ୍ୟ ସମ୍ପୂର୍ଣ୍ଣ ଲାଗି ଲକ୍ଷ୍ୟ ରଖାଯାଇଛି।

ଯାଜପୁର ଜିଲ୍ଲାର ଦୁଇଟି ଗ୍ରାମ୍ୟ ଜଳଯୋଗାଣ ପ୍ୟାକେଜ୍ ଅନୁମୋଦନ ଲାଭ କରିଛି। ଜିଲ୍ଲାର ୫ଟି ବ୍ଲକ ଅନ୍ତର୍ଗତ ୩୨୩ଟି ଗାଁର ୩ଲକ୍ଷ ୯୦ ହଜାର ୮୬୮ ଲୋକ ଏହାଦ୍ବାରା ଉପକୃତ ହେବେ। ଏଥିରେ ଦାନଗଦି ବ୍ଲକର ୧୦୪ଟି ଗାଁ ଅନ୍ତର୍ଗତ ୧ଲକ୍ଷ ୫୯ ହଜାର ୮୮ ଲୋକ ଅଛନ୍ତି। ସେହିଭଳି ରସୁଲପୁର ଅଞ୍ଚଳର ୧୬୦ଟି ଗାଁର ୧ଲକ୍ଷ ୭୮ ହଜାର ୫୭୦ ଜଣ, ଧର୍ମଶାଳା ବ୍ଲକ ୮ଟି ଗାଁର ୨୫୯୭, ବରୀ ବ୍ଲକର ଗୋଟିଏ ଗାଁର ୧୧୭୫ ଏବଂ ଯାଜପୁର ବ୍ଲକ ଅନ୍ତର୍ଗତ ୫୦ଟି ଗାଁର ୪୯ ହଜାର ୪୩୮ ଜଣ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ମୁମ୍ବାଇର ମେସର୍ସ କେଇସି-ବିଆର୍‌ସିସିପିଏଲ୍ ସଂସ୍ଥା ୨୫୪ କୋଟି ୨୭ଲକ୍ଷ ୨୦ ହଜାର ୨୦୦ ଟଙ୍କା ବ୍ୟୟରେ ଏହାର କାର୍ୟ୍ୟାନ୍ବୟନ କରିବେ। ୨୪ମାସରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

କନ୍ଧମାଳର ୨ଟି ବ୍ଲକର ୩୨୯ଟି ଗାଁର ୧ଲକ୍ଷ ୫ହଜାର ୨୧୭ ଲୋକଙ୍କ ପାଇଁ ୧୮୫କୋଟି ୯୨ଲକ୍ଷ ଟଙ୍କା ବ୍ୟୟ ହେବ ଓ ମେସର୍ସ ଜେଏମ୍‌ସି ପ୍ରୋଜେକ୍ଟ୍ସ ଏହି କାର୍ୟ୍ୟ କରିବେ। ୨୪ ମାସରେ ସରିବାକୁ ଥିବା ଏହି ପ୍ରକଳ୍ପରେ ଟିକାବାଲିର ୧୨୯ଟି ଗାଁ ଓ ବାଲିଗୁଡାର ୨୦୦ଟି ଗାଁର ଲୋକେ ବିଶୁଦ୍ଧ ପାଣି ପାଇପାରିବେ। ଅନ୍ୟ ଏକ ନିଷ୍ପତ୍ତିରେ ‘୫ଟି’ କାର୍ୟ୍ୟକ୍ରମରେ ୩୦ଟି ଜିଲ୍ଲାରେ ପର୍ୟ୍ୟାୟକ୍ରମେ ସାମାଜିକ ସୁରକ୍ଷା ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ସ୍ଥିର କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ୧୦ଟି ଜିଲ୍ଲାରେ ଏହା କରାଯାଉଛି। ରାଜ୍ୟ ବଜେଟ୍‌ରୁ ୯ଟି ଜିଲ୍ଲା (ଖୋର୍ଧା, କଟକ, ପୁରୀ, କନ୍ଧମାଳ, ସମ୍ବଲପୁର, ଭଦ୍ରକ, ମାଲକାନଗିରି, ଗଞ୍ଜାମ ଓ ନବରଙ୍ଗପୁର ) ଏବଂ ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ଅର୍ଥରେ ସୁନ୍ଦରଗଡ଼ ଜିଲ୍ଲାରେ କରାଯିବ। ସେହିପରି ୮ଟି ଡିଏମ୍‌ଏଫ୍ ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ସଂପୃକ୍ତ ଜିଲ୍ଲାମାନେ ତ୍ବରାନ୍ବିତ କରିବେ ଓ ଅନ୍ୟ ୧୨ଟି ଜିଲ୍ଲାରେ ଦ୍ବିତୀୟ ପର୍ୟ୍ୟାୟରେ ୨୦୨୨-୨୩ ବର୍ଷରେ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ପ୍ରକଳ୍ପକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ। ଯେଉଁଥିରେ ଜରାନିବାସ, ନିରାଶ୍ରୟଙ୍କ ପାଇଁ ଆବାସିକ ବ୍ୟବସ୍ଥା, ଭୌତିକ ଚିକିତ୍ସା କେନ୍ଦ୍ର, ଚିକିତ୍ସା ବିଭାଗ ପୁନର୍ବାସ କେନ୍ଦ୍ର, ଦୃଷ୍ଟି ବାଧିତ, ଶ୍ରବଣ ବାଧିତ ଓ ମାନସିକ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ବ୍ୟବସ୍ଥା ରହିଛି। ଏହାବ୍ୟତୀତ ସାମାଜିକ ସୁରକ୍ଷା ଭିତ୍ତିଭୂ୍ମି ପ୍ରକଳ୍ପ ଗୁଡିକରେ କ୍ରୀଡା ପାଇଁ ଆବଶ୍ୟକ ସୁବିଧା, ସାଂସ୍କୃତିକ କେନ୍ଦ୍ର ଓ ଅତିରିକ୍ତ ପାଠ୍ୟକ୍ରମ ସୁବିଧା ରହିବ।