୩୪ କୋଟି କୋଭିସିଲ୍ଡ ଟିକା ପାଇଁ ରାଜ୍ୟମାନେ ଦେଲେଣି ଅର୍ଡର । ଜାଣନ୍ତୁ କେବେ ଆରମ୍ଭ ହେବ ଯୋଗାଣ ?

98

କନକ ବ୍ୟୁରୋ : ଦେଶରେ କରୋନା ପାଇଁ ଟିକାକରଣର ଚତୁର୍ଥ ପର୍ଯ୍ୟାୟ ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସ୍କଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅନ୍ୟପଟେ ଏହି ପର୍ଯ୍ୟାୟର ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କ ଉପରେ ଦେଇଛନ୍ତି । ଦେଶରେ କିଛି ରାଜ୍ୟ ସେମାନଙ୍କ ରାଜ୍ୟର ନାଗରିକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିବା ସହ ଟିକା ପାଇଁ ଅର୍ଡର ଦେଇସାରିଲେଣି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୁ ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ସରକାର ମାନେ ୩୪ କୋଟି ଓ ଘରୋଇ ହସ୍ପିଟାଲ ମାନେ ୨ କୋଟି ଟିକା ପାଇଁ ଅର୍ଡର କରିଛନ୍ତି । ଅର୍ଡର ପାଇବା ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି କି, କିଛି ରାଜ୍ୟକୁ ୪ ଦିନ ମଧ୍ୟରେ ଟିକା ଯୋଗାଣ ହେବାକୁ ରହିଛି ତ କିଛି ରାଜ୍ୟକୁ ଟିକା ଯୋଗାଣ ପାଇଁ ଗୋଟିଏ ସପ୍ତାହ ଲାଗିବ ।

ଏହାସହ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି କି, ସର୍ବପ୍ରଥମେ ମହାରାଷ୍ଟ୍ର ସମେତ ୫ ଟି ରାଜ୍ୟକୁ କୋଭିସିଲ୍ଡ ଟିକା ଯୋଗାଇ ଦିଆଯିବ । ଅନ୍ୟ ରାଜ୍ୟମାନଙ୍କଠାରେ ଟିକା ପହଂଚାଇବାକୁ ୩ ସପ୍ତାହ ସମୟ ମଗାଯାଇଛି । ଅନ୍ୟପଟେ ରାଜ୍ୟମାନଙ୍କୁ ଆବଶ୍ୟକ ମୁତାବକ ଟିକା ଯୋଗାଣ ହେଲେ ସେମାନେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବେ ବୋଲି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ଡ ଟିକାର ଦାମ କମ କରାଯାଇଛି । ପ୍ରଥମେ ରାଜ୍ୟମାନଙ୍କ ପାଇଁ ଟିକାର ପ୍ରତି ଡୋଜର ମୂଲ୍ୟ କମ୍ପାନୀ ପକ୍ଷରୁ ୪୦୦ ଟଙ୍କା ରଖାଯାଇଥିବା ବେଳେ ଗତକାଲି ଏହାର ଦାମ ୧୦୦ ଟଙ୍କା କମାଯାଇ ୩୦୦ ଟଙ୍କାରେ ଦିଆଯିବ ବୋଲି କୁହାଯାଇଛି ।

Comments are closed.