ବିଦେଶରୁ ସୁନ୍ଦରଗଡକୁ ଫେରିଛନ୍ତି ୩୨୬ । ୯୪ ଜଣଙ୍କ ମିଳୁନି ଖବର, ବଢିଲା ଚିନ୍ତା

169

ଓଡ଼ିଶାରେ ଦୁଇ ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଇତିମଧ୍ୟରେ ଜିଲ୍ଲାକୁ ୩୨୬ ଜଣ ବିଦେଶରୁ ଆସିଥିବା ଜଣାପଡ଼ିଛି। ଏମାନେ ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ ‘ହାଇ ରିସ୍କ୍‌’ ଦେଶ, ଯଥା- ସିଙ୍ଗାପୁର, ଇସ୍ରାଏଲ, ୟୁକେ, ବ୍ରାଜିଲ, ଚୀନ, ଦକ୍ଷିଣ ଆଫ୍ରିକା ବୋସୱାନା, ମରିସସ, ନ୍ୟୁଜିଲାଣ୍ଡ, ହଂକଂ, ଜିମ୍ବାୱେ ଆଦି ଦେଶରୁ ଆସିନାହାନ୍ତି। ଏମାନେ ମୁଖ୍ୟତଃ ଆମେରିକା, ଆୟର୍ଲାଣ୍ଡ୍‌, ଦୁବାଇ, ଜର୍ମାନୀ ଆଦି ଦେଶରୁ ଆସିଛନ୍ତି।

ତେବେ ଏମାନଙ୍କ ମଧ୍ୟରୁ ୪୪ ଜଣ ଇତିମଧ୍ୟରେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିସାରିଲେଣି। ଏବେ ଜିଲ୍ଲାରେ ମୋଟ୍‌ ୨୮୨ ଜଣ ବିଦେଶ ଫେରନ୍ତା ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୮୮ ଜଣଙ୍କର ସ୍ବାବ୍‌ ନମୁନା ସଂଗୃହୀତ ହୋଇ ପରୀକ୍ଷା କରାଯାଇସାରିଲାଣି। କେବଳ ଦୁଇ ଜଣଙ୍କ ବ୍ୟତିତ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ଏଯାବତ୍‌ ବଳକା ୯୪ ଜଣ ବିଦେଶ ଫେରନ୍ତାଙ୍କ ପତ୍ତା ମିଳିପାରୁନି। ଏମାନେ ନିଜର ଭୁଲ୍‌ ଠିକଣା, ଫୋନ ନମ୍ବର ଦେଇଥିବାରୁ କଣ୍ଟାକ୍ଟ ଟ୍ରେସିଂ ସଂମ୍ଭବପର ହୋଇପାରୁନି। ସ୍ବେଚ୍ଛାକୃତଭାବେ ଆଗେଇ ଆସି କୋଭିଡ୍‌ ଟେଷ୍ଟ୍‌ କରିବା ବଦଳରେ ଆତ୍ମଗୋପନ କରୁଥିବା ଏହ ବିଦେଶ ଫେରନ୍ତାକୁ ଠାବ କରିବାକୁ ଜିଲ୍ଲା ପ୍ରଶାସନ ଛାନ୍‌ଭିନ୍‌ ଜାରି ରଖିଛି। ଖୁବଶୀଘ୍ର ସମସ୍ତଙ୍କୁ ଚିହ୍ନଟକରି ସାମୂହିକ କୋଭିଡ୍‌ ପରୀକ୍ଷା କରାଯିବବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଜିଲ୍ଲାକୁ ଆସିଥିବା ଦୁଇ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଯେଉଁ ‘ଓମିକ୍ରନ୍‌’ ଆକ୍ରାନ୍ତ ସନ୍ଦେହ କରାଯାଉଥିଲା, ତାହା ଦୂର ହୋଇଛି। ଉଭୟ ଆକ୍ରାନ୍ତ ଓମିକ୍ରନ୍‌ ନୁହେଁ, ବରଂ ଡେଲ୍‌ଟା ଭରିଆଣ୍ଟ୍‌ରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ସଙ୍ଗରୋଧ ସମୟ ଶେଷ ହୋଇସାରିଥିବା ଓ ସୁସ୍ଥ ଥିବାରୁ ଉଭୟେ ଚିକିତ୍ସାଧୀନ ଥିବା ହସପିଟାଲ, ଯଥା-ବ୍ରହ୍ମପୁର କୋଭିଡ୍‌ ହସପିଟାଲ ଓ ଜୟ ପ୍ରକାଶ କୋଭିଡ୍‌ ହସପିଟାଲରୁ ମୁକ୍ତ ହୋଇସାରିଛନ୍ତି। ପ୍ରକାଶଥାଉକି, ଆକ୍ରାନ୍ତ ହୋଇଥିବା ଏହି ଦୁଇ ସଂପର୍କୀୟ ଗତ ୬ ତାରିଖରେ ଦୁବାଇରୁ ରାଉରକେଲାକୁ ଫେରିଥିଲେ। ଏମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ନାଗରିକ(୬୧) ଓ ଜଣେ ମହିଳା(୩୮) ଥିଲେ। ରାଉରକେଲାକୁ ଫେରିବାପରେ ନିୟମାନୁସାରେ ଉଭୟଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା।

ଦୁଇ ଦିନ ପରେ ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେବେ ଏମାନଙ୍କ ମଧ୍ୟରୁ ଜଣେ ଭଞ୍ଜନଗର ସ୍ଥିତ ନିଜ ସଂପର୍କୀୟଙ୍କ ପାଖକୁ ଯାଇଥିବ‌ାବେଳେ ସେଠାରୁ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍‌ସରେ ଆଣି ବ୍ରହ୍ମପୁର କୋଭିଡ୍‌ ହସପିଟାଲରେ ରଖାଯାଇଥିଲା। ଅପରପକ୍ଷରେ ରାଉରକେଲାରେ ଥିବା ଅନ୍ୟତମ ଆକ୍ରାନ୍ତଙ୍କୁ ଜୟ ପ୍ରକାଶ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଉଭୟେ ବିଦେଶ ଫେରନ୍ତା ଥିବାରୁ ସେମାନଙ୍କର ସ୍ବାବ୍‌ ନମୁନା ଜେନମ୍‌ ସିକ୍ୟୁଏନ୍‌ସିଂ ପାଇଁ ପଠାଯାଇଥିଲା। ଏହା ବେଶ୍‌ କିଛି ଦିନଧରି ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଓମିକ୍ରନ୍‌ ଆକ୍ରାନ୍ତ ଥିବା ସନ୍ଦେହ ବି ସୃଷ୍ଟି ହୋଇଥିଲା। କିନ୍ତୁ ଦୁଇ ଦିନ ପୂର୍ବେ ରିପୋର୍ଟ ନେଗେଟିଭ୍‌ ଆସିବାରୁ ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତି ମିଳିଛି।