କନକ ବ୍ୟୁରୋ : ଧରାପଡ଼ିଲା ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗ । ୩୧ଟି ପୁରାତନ ମୂର୍ତ୍ତି ସହ ୪ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ଭିନୀତ ଅଗ୍ରୱାଲ । ସୂଚନା ଅନୁସାରେ, ଗତ କିଛି ମାସ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ମନ୍ଦିର ଓ ମଠରୁ ବହୁ ପୁରାତନ ମୂର୍ତିସବୁ ଚୋରି ହୋଇଥିଲା । ଏନେଇ ଗତବର୍ଷ ନଭେମ୍ବର ଏବଂ ଚଳିତ ବର୍ଷ ଫେବୃଆରୀରେ ମାମଲା ରୁଜୁ ହୋଇଥିଲା ।

Advertisment

ଯାଜପୁର ଏସପିଙ୍କ ନିର୍ଦ୍ଦେଶରେ ଚୋରଙ୍କୁ ଠାବ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଉତ୍ତରପ୍ରଦେଶ ଗସ୍ତ କରିଥିଲେ । ସେଠାରେ ମୂର୍ତ୍ତି ଚୋରଙ୍କର ପର୍ଦ୍ଦାଫାସ ହୋଇଥିଲା । ଏହି ଟିମ୍ ଯାଜପୁର ଥାନା ଓ ଜେନାପୁର ଥାନା ଅଂଚଳରୁ ଚୋରି ହୋଇଥିବା ୩୧ଟି ବିରଳ ଅଷ୍ଟଧାତୁ ଓ ତମ୍ବା ମୂର୍ତ୍ତି ଜବତ କରିଛି । ଏହାସହ ଚୋରଙ୍କ ଠାରୁ ଗୋଟିଏ ବାଇକ, ଗୁଳି ସହ ବନ୍ଧୁକ, ୩ଟି ମୋବାଇଲ ଜବତ ମଧ୍ୟ ହୋଇଛି । ମୂର୍ତ୍ତି ଚୋରିରର ମାଷ୍ଟର ମାଇଣ୍ଡ ଥିଲେ ଉତରପ୍ରଦେଶର ଏକ ମୂର୍ତ୍ତି ଚୋର । ତାଙ୍କ ସହ ଓଡ଼ିଶାର କିଛି ମୂର୍ତ୍ତି ଚୋର ମଧ୍ୟ ସାମିଲ ଥିଲେ ।

ମୂର୍ତ୍ତି ଚୋରିରେ ସଂପୃକ୍ତ ଅରବିନ୍ଦ କୁମାର ସିଂ, ଜାଭେଦ୍, ବିଜୟ ଶୁକ୍ଳାଙ୍କୂ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ଶଶୀଧର ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି । ଶଶୀଧର ମୂର୍ତି ସବୁ କେଉଁଠି ଅଛି, ସେନେଇ ଉତ୍ତରପ୍ରଦେଶ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ସୂଚନା ଦିଏ । ଗିରଫ ଅଭିଯୁକ୍ତ ଜେରା ବେଳେ ମୂର୍ତ୍ତିଗୁଡ଼ିକ ସବୁ ବ୍ରାହ୍ମଣୀ ନଦୀ ପଠା ବାଲିରେ ପୋତା ଯାଇଥିବା ସୂଚନା ଦେଇଥିଲେ । ପୋଲିସ ଏବେ ଅନ୍ୟ ଚୋରି ମୂର୍ତ୍ତି ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିବା ସୂଚନା ଦେଇଛନ୍ତି ଯାଜପୁର ଏସପି ।