ଅଣ୍ଡାମାଡ଼ ପାଇଁ ୩୦୭, ହେଲେ ଫଟୋ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ । କମିଶନରେଟ୍ ପୋଲିସର ଏ କି ନୀତି?

201

କନକ ବ୍ୟୁରୋ: ପ୍ରତ୍ୟେକ ଦିନ ଫଟୋ ଉଠାଇ ଖବର କରୁଥିବା ଫଟୋ ସାମ୍ବାଦିକ ଜଣକ ମାଡ ଖାଇବେ, ତାହା ପୁଣି ପୋଲିସ ଠାରୁ ତାହା ହୁଏତ ସେ କେବେ ଭାବି ନଥିବେ । ହେଲେ କଳିଙ୍ଗ ଷ୍ଟାଡିୟମ ୮ନମ୍ବର ଗେଟ୍ ଆଗରେ ଫଟୋ ସାମ୍ବାଦିକ ରାକେଶ ରାଉଳ ପୋଲିସ ଜଣଙ୍କ ମାଡ ମାରିବା ସହିତ ତାଙ୍କ ଉପରେ ଝୁଙ୍କି ପଡି କ୍ୟାମେରା ଛଡାଇଥିଲେ ।  ଆଉ ସେ ଯେଉଁ ଭାଷାରେ ଗାଳି ଦେଉଥିଲେ ତାହା କହିବା ବି ମୁସ୍କିଲ । ରାକେଶଙ୍କ ଭୁଲ ଏତିକି ଥିଲା, ସେ ଖବର କରିବାକୁ ଗାଡିରେ ଯାଉଥିବା ହକି ଖେଳାଳିଙ୍କ ଫଟୋ ଉଠାଇଥିଲେ ।

କାର୍ଯ୍ୟରତ ଜଣେ ଫଟୋ ସାମ୍ବାଦିକଙ୍କୁ  ମାଡ ମରାଯିବାର ଗୋଟିଏ ଦିନ ପରେ ବି ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି କମିଶନରେଟ୍ ପୋଲିସ । ସେପଟେ ବଲାଙ୍ଗୀରରେ ସାମ୍ବାଦିକାଙ୍କଠାରୁ ମୋବାଇଲ ଛଡାଇ ନେଇଥିବା ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

  • ଅଣ୍ଡା ମାଡ ପାଇଁ ୩୦୭ ଦଫା 
  • ମାଡ ମାରିଲେ ଲାଗିବ କେଉଁ ଦଫା? 

ଗତ ୩୧ ତାରିଖରେ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଛାତ୍ର କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ । ସେହି ସମୟରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇବାରୁ ଆନ୍ଦୋଳନକାରୀ ପୋଲିସ ଉପରକୁ ଅଣ୍ଡାମାଡ କରିଥିଲେ । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ଘେରାଉ କରିବା ସହ କଂଗ୍ରେସ କର୍ମୀ ଅଣ୍ଡାମାଡ କରିଥିଲେ । ଯାହାକୁ ନେଇ ସେମାନଙ୍କ ବିରୋଧରେ ପୋଲିସ ଦଫା ୩୦୭ରେ ମାମଲା ରୁଜୁ କରିଛି । ପୋଲିସର ଏଭଳି ଦଫାକୁ ଦେଖି ଚିହିଁକି ଉଠିଛି କଂଗ୍ରେସ । ଅଭିଯୁକ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ନକରି ବିରୋଧୀ ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯାଗ କରିଛି । ଏବଂ ଲାଗିଥିବା ଦଫା ନହଟାଇଲେ ଆନ୍ଦୋଳନ ଓ ଅନଶନ କରିବେ ବୋଲି  ଚେତାବନୀ ଦେଇଛନ୍ତି ।

ପୋଲିସର ଦୁଇ ପ୍ରକାର ନୀତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଅଣ୍ଡା ମାଡ ପାଇଁ ଯଦି  ୩୦୭ ଦଫା ଲଗା ଯାଉଛିି ତେବେ ସାମ୍ବାଦିକଙ୍କୁ ମାଡ ମାରିଥିବା ପୋଲିସ ବାବୁଙ୍କ ବିରୋଧରେ କି ଦଫା ଲାଗିବ? ପୋଲିସ ମାଡ ମାରିଲେ ସେମାନଙ୍କ ପାଇଁ ନିୟମ ଅଲଗା କି?