ବୁଦ୍ଧି ଦେଲେ ବିଡ଼ିଓ, ଡିଜିଟାଲ ହେଲା ପାହାଡି ଗାଁ । ଟେଲିକମ କମ୍ପାନି ମନାକଲେ, ନିଜ ଖର୍ଚ୍ଚରେ ଟ୍ୟୁବୱେଲ ପାଇପରୁ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ ।

437

କନକ ବ୍ୟୁରୋ : ଅଳିଆ ଗଦାରୁ ଛିଡା ହେଲା ମୋବାଇଲ ଟାୱାର । ଡିଜିଟାଲମୟ ହେଲା ପାହାଡି ଗାଁ । ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ ଓ ଗାଁରେ ଆରମ୍ଭ ହେଲା ମୋବାଇଲ ସମେତ ଇଣ୍ଟରନେଟ୍ ସେବା । ମୋବାଇଲ ଟାୱାର ବିନା ଦୀର୍ଘ ବର୍ଷ ଧରି ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଥିବା କନ୍ଧମାଳ ଜିଲ୍ଲାର ବଡାକୀ ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ କରିଛନ୍ତି ସ୍ଥାନୀୟ ବିଡିଓ ସୁବ୍ରତ କୁମାର ଜେନା ।

ମାଓ ଅଧୁଷିତ ଏହି ଅଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ ନକରିବାକୁ ଟେଲିକମ କମ୍ପାନି ବିଭିନ୍ନ ବାହାନା ଦେଖାଉଥିଲେ । ଏନେଇ ବାରମ୍ବାର ବିଏସଏନଏଲ ନିକଟରେ ଗୁହାରି କରିଥିଲେ ମଧ୍ୟ କମ୍ପାନି ଏହାକୁ କର୍ଣ୍ଣପାତ କରିନଥିଲା । ଏପରିକି ଏଠାରେ ମୋବାଇଲ ଟାୱାର ନିର୍ମାଣ କରି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନଥିଲା କମ୍ପାନି ।

ଏଭଳି ସମୟରେ ବଡାକୀ ଗ୍ରାମବାସୀଙ୍କ ସ୍ୱପ୍ନ ସାକାର କରିବାକୁ ଆଗେଇ ଆସିଥିଲେ ଫୁଲବାଣୀ ବିଡ଼ିଓ ସୁବ୍ରତ ଜେନା । ଗାଁକୁ କୌଣସି କାମରେ ଆସିଥିବା ବେଳେ ଗ୍ରାମ ପଞ୍ଚାୟତ ଅଫିସର ଅଳିଆ ଗଦାରେ ପୁରୁଣା ଟ୍ୟୁବୱେଲ ପାଇପ ପଡିଥିବାର ଦେଖିବାକୁ ପାଇଥିଲେ । ଆଉ ଏହାକୁ ବ୍ୟବହାର କରି ମୋବାଇଲ ଟାୱାର ନିର୍ମାଣ କରିବାକୁ ଅଣ୍ଟା ଭିଡିଥିଲେ ବିଡିଓ । ଏଥିପାଇଁ ପୁଣିଥରେ ବିଏସଏନଏଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ସୁବ୍ରତ । ଏପରିକି ଗ୍ରାମବାସୀ ମାନେ ନିଜ ଖର୍ଚ୍ଚରେ ଏହି ମୋବାଇଲ ଟାୱାର ନିର୍ମାଣ କରିବେ ବୋଲି ବିଏସଏନଏଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ଆଉ ଏହି ପ୍ରସ୍ତାବରେ ରାଜି ହୋଇଥିଲା ବିଏସଏନଏଲ କମ୍ପାନି ।

ପରେ ବିଏସଏନଏଲ କମ୍ପାନିର ଇଞ୍ଜିନିୟରଙ୍କ ତତ୍ୱାବଧାନରେ ଏହି ଅଦରକାରୀ ଟ୍ୟୁବୱେଲ୍ ପାଇପରୁ ୩୦ ଫୁଟର ମୋବାଇଲ ଟାୱାର ନିର୍ମାଣ କରାଯାଇଥିଲା । ଏହି ଲୁହା ପାଇପର ୱେଲ୍ଡିଂ ପାଇଁ ୭୦୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ବିଦ୍ୟୁତ ସଂଯୋଗ ପାଇଁ ଇନଭରଟର ବାବଦକୁ ୨୦୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ଏହାସହ ମାତ୍ର ୨୭ ହଜାର ଟଙ୍କାରେ ମୋବାଇଲ ଟାୱାର ବସିବା ସହ ଡିଜିଟାଲ ହୋଇଥିଲା ବଡାକୀ ଗାଁ । ଏବେ ଏହି ଟାୱାର ବସିବା ପରେ ପୂରା ଗାଁକୁ ବିଏସଏନଏଲ ପକ୍ଷରୁ ମୋବାଇଲ ସେବା ଯୋଗାଇ ଦିଆଯିବା ସହ ଇଣ୍ଟରନେଟ ସେବା ମଧ୍ୟ ଯୋଗାଇ ଦିଆଯାଇଛି ।