ଶ୍ରୀମନ୍ଦିରରେ ଠେଲାପେଲା । ହବିଷ୍ୟାଳୀଙ୍କ ସମେତ ଆହତ ହେଲେ ୩୦ରୁ ଅଧିକ ଭକ୍ତ । ତ୍ରୁଟିପୂର୍ଣ୍ଣ ଦର୍ଶନ ବ୍ୟବସ୍ଥାକୁ ଦାୟୀ କଲେ ଭକ୍ତ ।
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି । ଯାହା ଫଳରେ ବହୁ ହବିଷ୍ୟାଳୀଙ୍କ ସମେତ ୩୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ମହିଳାମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ସେପଟେ ଏଭଳି ଘଟଣା ଦର୍ଶନ ବ୍ୟବସ୍ଥାରେ ଅହେତୁକ ତ୍ରୁଟି ଥିବା ଯୋଗୁଁ ଘଟିଥିବା ଅଭିଯୋଗ ହୋଇଛି।

Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ମଙ୍ଗଳଆଳତୀ ପରେ ସିଂହଦ୍ୱାର ବ୍ୟାରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ପୁଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆହତ ହବିଷ୍ୟାଳୀ ଓ ଭକ୍ତମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ। ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି। କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ୟ୍ୟାଳୟ ରଖାଯାଇଥିଲା । ସେଠାରେ ସେମାନଙ୍କୁ ଫ୍ୟାନ ଓ ଏସି ଲଗାଇ ଶୁଆଇ ଦିଆଯିବା ସହିତ ଓଆରଏସ ପାଣି ମଧ୍ୟ ପିଇବାକୁ ଦିଆଯାଇଥିଲା । ତେବେ ଅଘଟଣରେ ଆହତ ହେଇଥିବା ଭକ୍ତମାନଙ୍କୁ ପର୍ୟ୍ୟାୟକ୍ରମେ ମେଡ଼ିକାଲ ପଠାଯାଇଛି।