ଜମ୍ମୁ-କାଶ୍ମୀର ସୋଫିଆ ଠାରେ ପୋଲିସର ଏନକାଉଁଣ୍ଟର । ଗଡିଲା ୩ ଆତଙ୍କୀ ମୁଣ୍ଡ, ଜଣେ ପୋଲିସକର୍ମୀ ଶହୀଦ୍

117

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋଫିଆ ସେକ୍ଟରରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ସକାଳୁ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହା ସହ ମୃତ ଆତଙ୍କବାଦୀଙ୍କ ନିକଟକୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୋଳା ବାରୁଦ ଜବତ୍ ହୋଇଛି । ଆତଙ୍କବାଦୀଙ୍କ ମୃତ୍ୟୁ ପରେ ପୋଲିସ ପୁରା ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେଶନ ଜାରି ରଖିଛି ।

ସୂଚନା ମୁତାବକ ଭାରତୀୟ ସୁରକ୍ଷା ବଳକୁ ଗୁଇନ୍ଦା ଖବର ମିଳିଥିଲା କି କିଛି ଆତଙ୍କବାଦୀ ସୋଫିଆ ଅଞ୍ଚଳରେ ଏକ ଘରେ ଲୁଚି ରହିଛନ୍ତି । ସେମାନେ କୌଣସି ଷଡଯନ୍ତ୍ରକୁ ଅନ୍ତିମ ରୂପ ଦେବାକୁ ଚେଷ୍ଟା କରୁଥିବା ପୋଲିସ ପାଖରେ ସୂଚନା ପହଂଚିଥିଲା । ଗୁଇନ୍ଦା ସଂସ୍ଥାର ସୂଚନା ମୁତାବକ ଭାରତୀୟ ସୁରକ୍ଷା ବଳ ସ୍ଥାନୀୟ ପୋଲିସ ସହାୟତାରେ ଏକ ଟିମ୍ ଗଠନ କରିଥିଲା ସୋଫିଆ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ଏହି ସର୍ଚ୍ଚ ଅପରେଶନ ବେଳେ ଆତଙ୍କବାଦୀ ମାନଙ୍କୁ ଆତ୍ମ ସମର୍ପଣ କରିବାକୁ ଡାକରା ଦେଇଥିଲା ସୁରକ୍ଷାବଳ । ହେଲେ ଆତଙ୍କବାଦୀ ମାନେ ସୁରକ୍ଷାବଳ ଉପରେ ଓଲଟା ଗୁଳି ଚଳାଇଥିଲେ । ସୁରକ୍ଷାବଳ ବାଧ୍ୟ ହୋଇ ଗୁଳି ଚଳାଇବା ଆରମ୍ଭ କରିଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ସେହିଭଳି ଜମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲାର ବିରବା ଅଞ୍ଚଳରେ ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମହମ୍ମଦ ଓଲ୍ତାକ ନାମକ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଏହାସହ ମଞ୍ଜୁର ଅହମ୍ମଦ ନାମକ ଜଣେ ସୁରକ୍ଷାକର୍ମୀ ବି ଗୁରୁତର ହୋଇଛନ୍ତି ।