ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା : ୩ ଜଣଙ୍କୁ ବାନ୍ଧିଲା ପୋଲିସ; ପ୍ରଶ୍ନ ପର୍ଯ୍ୟଟକଙ୍କୁ କାହିଁକି ମାଡ ମାରିଲେ ସଫାରୀ କର୍ମଚାରୀ ?

ମାଡ଼ ମାରିବାକୁ ଅଧିକାର ଦେଲା କିଏ ? ଏହି ସମୟରେ କ’ଣ କରୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ ?

126

କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା ନନ୍ଦନକାନନ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ । ସଫାରୀ ବସ୍ କର୍ମଚାରୀ ଗୋଡାଇ ଗୋଡାଇ ପିଟୁଥିବାରୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନନ୍ଦନକାନନରାରେ ସଫାରୀ ବସ୍ ଟିକେଟକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଛି । ଏଥିରେ ଛତିଶଗଡ଼ରୁ ଆସିଥିବା ତିନି ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କୁ ସଫାରୀ ବସ୍ କର୍ମଚାରୀ ଆକ୍ରମଣ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି ।

ଛତିଶଗଡ଼ର ୨୬ ଜଣ ପର୍ଯ୍ୟଟକ ସଫାରି ବସ୍ ଟିକେଟ୍ ଘର ପାଖ ଧାଡିରେ ଛିଡା ହୋଇଥିଲେ । ସେମାନଙ୍କ ପଛରେ ଧାଡିରେ ଛିଡ଼ା ହୋଇଥିବା ପର୍ଯ୍ୟଟକ ବସ୍ ଟିକେଟ୍ କରି ବସ୍ରେ ବସିଥିଲେ । ସେମାନଙ୍କୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ବସରେ ବସିବା ପାଇଁ ଚଢିଥିଲେ । କିନ୍ତୁ ବସ୍ କର୍ମଚାରୀମାନେ ସେମାନଙ୍କୁ ବସିବାକୁ ସୁଯୋଗ ଦେଲେ ନାହିଁ । ଅନ୍ୟପଟେ ସମୟ ହୋଇଥିବାରୁ ଟିକେଟ୍ କାଉଂଟର ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ବସ୍ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରସ୍ପରକୁ ଠେଲାପେଲା କରିଥିଲେ । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆହତ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ବସ୍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ବସ୍ କର୍ମଚାରୀମାନେ ମଧ୍ୟ ପର୍ଯ୍ୟଟକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଠି ପ୍ରଶ୍ନ ଉଠୁଛି ପର୍ଯ୍ୟଟକଙ୍କୁ କାହିଁକି ମାଡ ମାରିଲେ ସଫାରୀ କର୍ମଚାରୀ ? ସେମାନଙ୍କୁ ମାଡ଼ ମାରିବାକୁ ଅଧିକାର ଦେଲା କିଏ ? ଏହି ସମୟରେ କ’ଣ କରୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ ? ଗୁଣ୍ଡା ଓ ବଦମାସଙ୍କୁ ସାଙ୍ଗରେ ନେଇ କାହିଁକି ଆସିଥିଲେ ସଫାରୀ କର୍ମଚାରୀ ? ପର୍ଯ୍ୟଟକଙ୍କୁ ନେଇ ଚାଲିଛି ନନ୍ଦନକାନନ । ଆଉ ଯଦି ଏପରି ଆକ୍ରମଣ କରାଯାଏ, ତେବେ ନନ୍ଦନକାନନକୁ ପର୍ଯ୍ୟଟକ ଆସିବେ ତ ?