ହାତୀ ଲାଞ୍ଜ ଟାଣି ମଜା କରୁଥିଲେ, ତାଗିଦ ସତ୍ତେ୍ୱ ଶୁଣିଲେନି । ଗିରଫ କଲା ବନ ବିଭାଗ

ଖୋଲାଖୋଲି ବିପଦକୁ ନିମନ୍ତ୍ରଣ । ହାତୀ ଲାଞ୍ଜ ଟାଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ, ବିପଦପୂର୍ଣ୍ଣ କାର୍ଯ୍ୟ ପାଇଁ ଗିରଫ କରିଲା ବନ ବିଭାଗ 

112

କନକ ବ୍ୟୁରୋ : ହାତୀ ସାଙ୍ଗରେ ମଜା କରିବା ମହଙ୍ଗା ପଡିଲା ।  ଗତ କିଛି ଦିନ ହେଲା, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ଯୁବକ ଜଙ୍ଗଲ ମଧ୍ୟରେ ହାତୀ ସହ ମଜା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।  ଏପରିକି ହାତୀର ଲାଞ୍ଜକୁ ଟାଣି ବାରମ୍ବାର ରଗାଇବାକୁ ଚେଷ୍ଟା କରୁଥିଲେ ଯୁବକ ମାନେ । ଆଉ ଏଭଳି ବିପଦଜନକ କାର୍ଯ୍ୟ ପାଇଁ ୩ ଜଣ ଯୁବକଙ୍କୁ ଏବେ କେନ୍ଦୁଝର ଚମ୍ପୁଆ ବନ ବିଭାଗ ଗିରଫ କରିଛି ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଚମ୍ପୁଆ ରେଂଜ ଅଧିନ ରଜିଆ ପଂଚାୟତ କବଁତା ଗାଁର ଜଙ୍ଗଲରେ ୨୩ଟି ହାତୀ ପଶିଆସିଥିଲେ ।  ହାତୀଙ୍କୁ ଘୋଉଡାଇବାକୁ ସେଠାରେ ବନ ବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ପହଞ୍ଚିଥିଲେ । ତେବେ ଏହି ସମୟରେ ୩ଜଣ ଯୁବକ ହାତୀ ପଛକୁ ଯାଇ ବାଡିରେ ପିଟିବାକୁ ଉଦ୍ୟମ କରିବା ସହ ଜଣେ ଯୁବକ ହାତୀଟିର ଲାଂଜକୁ ବାରମ୍ବାର ଟାଣିଥିଲେ । ସେଠାରେ ପୁରା ହାତୀପଲ ଥିଲେ ସୁଦ୍ଧା ହାତୀକୁ ରଗାଇବାକୁ ଯୁବକମାନେ ପଛାଇ ନଥିଲେ ।

 ଲାଂଜ ଟାଣିବାମାତ୍ରେ ହାତୀଟି ପଛକୁ ବୁଲି ମାରିବାକୁ ଗୋଡାଉଥିଲା । ଏହା ପରେ ମଧ୍ୟ ସମ୍ପୃକ୍ତ ଯୁବକମାନେ ବାରମ୍ବାର ଏପରି କରିବାକୁ ଲାଗିଥିଲେ । ବନବିଭାଗର ତାଗିଦକୁ ମଧ୍ୟ ଏମାନେ ଖାତିର କରିନଥିଲେ । ପରେ ସମ୍ପୃକ୍ତ ଯୁବକଙ୍କୁ ବନବିଭାଗ ଗିରଫ କରିବା ପରେ ଏହି ଖେଳ ବନ୍ଦ ହୋଇଥିଲା । ଗିରଫ ୩ଜଣ ହେଲେ ଚମ୍ପୁଆରେ ରହୁଥିବା ମୁର୍ଶିଦାବାଦର ଅବଦୁଲ ହାଲିମ, ମୌଲାନାଗଡର ମହମ୍ମଦ ଇସମାଇଲ ଓ ରଜିଆର ଦେବାଶିଷ ବେହେରା ।