ନିଆଁରେ ପୋଡି ହୋଇ ୩ ଜୀବନ୍ତ ଦଗ୍ଧ : ଜଳିଗଲେ ମାଆ ସହ ୨ ଶିଶୁ; ବାପାକୁ ଅଟକ ରଖି ଝାରପୋଖରିଆ ପୋଲିସର ତଦନ୍ତ

149

କନକ ବ୍ୟୁରୋ : ନିଆଁରେ ପୋଡିହୋଇ ୩ ଜୀବନ୍ତ ଦଗ୍ଧ । ନିଆଁ ଲାଗି ଜଳିଗଲେ ମାଆ ସହ ୨ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ବାପାକୁ ଅଟକ ରଖି ଝାରପୋଖରିଆ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନାନୁସାରେ, ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହେଇଥିବା ଘଟଣା ସମଗ୍ର ଜିଲ୍ଲାରେ ଚହଳ ଖେଳିଯାଇଛି । ଉଞ୍ଚଗା ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଙ୍ଗଲ ମାର୍ଣ୍ଡି ଗତ କାଲି ରାତିରେ ଖାଇ ସାରିବା ପରେ ସ୍ତ୍ରୀ ସୁରୁକୁନି ମାର୍ଣ୍ଡି, ଝିଅ ସରିତା ମାର୍ଣ୍ଡି ୫ ବର୍ଷ ଓ ୩ ମାସର ପୁଅ ଗୋଟିଏ ଘରେ ଶୋଇଥିଲେ । ତେବେ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା । ସାରସକଣା ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ଦୁଇ ଶିଶୁ ଓ ଜଣେ ମହିଳା ସମ୍ପୂର୍ଣ୍ଣ ପୋଡି ଯାଇଥିଲେ ।

ତେବେ ଏତେ ଭୟାନକ ଅଗ୍ନିକାଣ୍ଡରେ ମାଆ ଓ ଦୁଇ କମଳମତି ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସ୍ୱାମୀ ଛାବାଲ ମାର୍ଣ୍ଡିର କିଛି ବି କ୍ଷତି ନହୋଇଥିବା ସମସ୍ତଙ୍କ ମନରେ ବିରାଟ ସନ୍ଦେହ ସୃଷ୍ଟି କରିଛି । ଖବର ପାଇ ଝାରପୋଖରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ମଙ୍ଗଲ ମାର୍ଣ୍ଡିକୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଥିବା ବେଳ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଏଭଳି ଏକ ସାଙ୍ଘାତିକ ଓ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।