୩ ଓଡିଆ ପାଇଲେ ଜାତୀୟ ପୁରସ୍କାର: ପ୍ରମୋଦଙ୍କୁ ଖେଳରତ୍ନ, ବୀରେନ୍ଦ୍ର-ଅମିତଙ୍କୁ ଅର୍ଜୁନ ଆୱାର୍ଡ

131

କନକ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ୬୨ ଜଣ କ୍ରୀଡାବିତଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ୩ ଓଡିଆଙ୍କୁ ମଧ୍ୟ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଓଡିଆ ପାରାଅଲିମ୍ପିକ୍ସ ଖେଳାଳି ପ୍ରମୋଦ ଭଗତଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ହକି ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।

ଟୋକିଓ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନୀତ ହୋଇଛନ୍ତି ଏହି ଖେଳାଳିମାନେ । ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ଓ ହକିରେ ବୀରେନ୍ଦ୍ର ଓ ଅମିତ ନିଜ କମାଲ ଦେଖାଇଥିଲେ । ଏମାନଙ୍କ ସହ ମୋଟ ୬୨ ଜଣ କ୍ରୀଡାବିତଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ।

ଆଜି ରାଜ୍ୟ କ୍ରୀଡ଼ାରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ତା ସହ ସମଗ୍ର ରାଜ୍ୟରେ ଖୁସିର ଲହରି ବି ଖେଳି ଯାଇଛି । ତିନିଜଣଯାକଙ୍କୁ ଏଥିଲାଗି ଚାରିଆଡ଼କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରମୋଦ ଓଡ଼ିଶାର ପ୍ରଥମ ଖେଳରତ୍ନ ହୋଇଛନ୍ତି। ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତଙ୍କ ପୂର୍ବରୁ ୯ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି।