ଗୋଟିଏ ଦେହରେ ତିନୋଟି ଗୋଡ: ବାଲେଶ୍ୱରର ଏଭଳି ଶିଶୁକୁ ନେଇ ଚିକିତ୍ସା ବିଜ୍ଞାନରେ ଚର୍ଚ୍ଚା । ପରୀକ୍ଷା ପରେ ଜଣାପଡିବ କେମିତି ହେବ ଚିକିତ୍ସା

656

କନକ ବ୍ୟୁରୋ: ଗୋଟିଏ ଶିଶୁ ତିନୋଟି ଗୋଡ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କାରଣ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ଶିଶୁର ତିନୋଟି ଗୋଡ ରହିଛି । ସାଧାରଣତ ୨ଟି ଗୋଡ ଯେମିତି ରହିବା କଥା ସେମିତି ରହିଛି ମାତ୍ର ଆଉ ଏକ ଗୋଡ ଅଣ୍ଟା ପାଖରୁ ବାହାରିଛି ।

ତେବେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡ ପୋଖରୀ ଅଞ୍ଚଳର ୧୧ ବର୍ଷର ବାଳକ ସୁଦାମ ବେହେରା ଏମିତି କିଛି ଜଟିଳତା ଦେଇ ଗତି କରୁଛି । ମଧୁସୁଦନ ବେହେରାଙ୍କ ପୁଅ ସୁଦାମ ଜନ୍ମରୁ ଏମିତି ହୋଇଥିବା ବେଳେ ଅଣ୍ଟା ପାଖରେ ଗୋଟିଏ ଗୋଡ ଧିରେ ଧିରେ ବାହାରୁଛି ।

ତେବେ ସୁଦାମ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ସୁଦାମକୁ ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଛି । ସେପଟେ ସୁଦାମର ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଛନ୍ତି ସେ ଠିକଠାକ ଅଛି । କିନ୍ତୁ କାହିଁକି ଓ କେମିତି ତୃତୀୟ ଗୋଡ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ । ତେଣୁ ଏମଆରଆଇ ସମେତ ଆଉ କିଛି ପରୀକ୍ଷା କରିବା ପରେ ତୃତୀୟ ଗୋଡ ବିଷୟରେ ଜାଣିବା ସମ୍ଭବ ପର ହେବ । ଏହା ପରେ ଯାଇ ଚିକିତ୍ସା କେମିତି ହୋଇପାରିବ ତାହା ଜଣାପଡିବ ।

ସେପଟେ ପୁଅର ଏତେ ବଡ ଚିକିତ୍ସା ପରିବାର ପାଇଁ ଚିନ୍ତା ବଢାଇଛି । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ପୁଅକୁ କେମିତି ଚିକିତ୍ସା ସେହି ଚିନ୍ତାରେ ପୂରା ପରିବାର । ତେବେ ପରିବାରର ଏଭଳି ସ୍ଥିତିରେ ସାମାଜିକ ସଙ୍ଗଠନ ସୁଦାମକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ବେଳେ କେମିତି ଉତ୍ତମ ଚିକିତ୍ସା ମିଳିପାରିବ ଓ ଆର୍ଥିକ ସହାୟତା ମିଳିବ ସେନେଇ ଚେଷ୍ଟା କରୁଛନ୍ତି । ତେବେ କିଛି ସହାୟତା ମିଳିଲେ ସୁଦାମର ଚିକିତ୍ସା ସୁରୁଖୁରରେ ହେବ ବୋଲି ପରିବାର ଲୋକେ ଦାବି କରିଛନ୍ତି ।