କନକ ବ୍ୟୁରୋ : ସାହସିକତା ପାଇଁ ପୁରସ୍କୃତ ହେବେ ଶିମିଳିପାଳର ୩ ବନ କର୍ମଚାରୀ । ୨ ଜଣଙ୍କୁ ମରଣୋତର ସମ୍ମାନ ମିଳିବାକୁ ଥିବା ବେଳେ ଜଣଙ୍କୁ ବୀରତ୍ୱ ପୁରସ୍କାର ମିଳିବ । ଶିମିଳିପାଳ ଅଭୟାରଣ୍ୟରେ ଶିକାରି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ୨ ବନ କର୍ମଚାରୀ ମାଥି ହାଁସଦା ଓ ବିମଳ କୁମାର ଜେନା । ସେହିପରି ଆହତ ବନ କର୍ମଚାରୀ ହେଲେ ହିମାଂଶୁ ଶେଖର ସେଠୀ । ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରବର୍ତ୍ତନ ମନ୍ତ୍ରାଳୟ ଏହି ପୁରସ୍କାର ଘୋଷଣା କରିଛି ।

Advertisment

ଆସନ୍ତା ୨୯ ତାରିଖରେ ଉତ୍ତରାଖଣ୍ଡର କର୍ବେଟ୍ ଟାଇଗର୍ ରିଜର୍ଭଠାରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ ହେବ । ଏହି ଅବସରରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ ହେବାର ଅଛି । ଦିବଙ୍ଗତ ବନ କର୍ମଚାରୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି । ଯାହା ଅନ୍ୟ କାର୍ଯ୍ୟରତ ବନ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀ କହିଛନ୍ତି । ମାଥି ହାଁସଦା ଗତ ମାସ ୧୬ ତାରିଖ ଦିନ ସହକର୍ମୀ ହିମାଂଶୁ ଶେଖର ସେଠୀଙ୍କ ସହ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ୬ଜଣ ସଶସ୍ତ୍ର ଶିକାରୀଙ୍କ ସମ୍ମୁଖୀନ ହୋଇଥିଲେ ।

ସେମାନଙ୍କ ଅତର୍କିତ ଗୁଳିମାଡ଼ରେ ମାଥିଙ୍କ ମୃତ୍ୟୁ ଘଟିଥିବା ବେଳ ଆହତ ହିମାଂଶୁ ଜୀବନକୁ ବାଜି ଲଗାଇ ଶିକାରୀଙ୍କ ସହ ଲଢ଼ିଥିଲେ । ପରେ ହିମାଂଶୁଙ୍କ ଯୋଗୁଁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହଜ ହୋଇଥିଲା । ସେହିପରି ବିମଳ କୁମାର ଜେନା ବିଭାଗର ଜଣେ କର୍ମଚାରୀ ଥିଲେ । ସେ ମେ’ ୨୨ ତାରିଖ ସଂଧ୍ୟାରେ ଦୁଇ ଜଣ ସୁରକ୍ଷା ସହାୟକଙ୍କ ସହ ଜଙ୍ଗଲକୁ ପାଟ୍ରୋଲିଂରେ ଯାଇଥିବା ବେଳେ ଜନ୍ତୁ ଶିକାର କରି ଫେରୁଥିବା ୮ରୁ ୧୦ ଜଣ ଶିକାରୀଙ୍କୁ ଅଟକାଇଥିଲେ । ଧରାପଡ଼ିଯିବା ଭୟରେ ଶିକାରୀମାନେ ବିମଳଙ୍କୁ ହତ୍ୟା କରିଥିଲେ ।