ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ପଡ଼ିଲା ସରକାରଙ୍କ ଛାଟ । ଆଉ ୩ ବାବୁଙ୍କୁ ବିଦା କଲେ ରାଜ୍ୟ ସରକାର । ଠୁଳ କରିଥିଲେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ।

580

କନକ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ପୁଣି ପଡ଼ିଲା ଚଡ଼କ । ଗତ ସପ୍ତାହରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଆଜି ୩ ଜଣ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ସରକାର । ଅଭ୍ୟାସଗତ ଦୁର୍ନୀତି ଖୋର ଅଧିକାରୀ ଦର୍ଶାଇ ଡିଏଫଓ ସୁଧାଂଶୁ ମିଶ୍ର ଏବଂ ପୂର୍ତ ବିଭାଗ ଦୁଇ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ, ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଜବରଦସ୍ତ ଚାକିରିରୁ ଅବସର ଦିଆଯାଇଛି ।

ସରକାରଙ୍କ ଅପରେସନ୍ କ୍ଲିନ୍ । ଆଉ ୩ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରେ ଅଛନ୍ତି, ଆଠଗଡର ଡିଏଫଓ ସୁଧାଂଶୁ ମିଶ୍ର । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୨୦୧୬ରେ ସୁଧାଂଶୁ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ବେଳେ ୫କୋଟି ୬୯ଲକ୍ଷ ଟଙ୍କାର ସମ୍ପତି ଜବତ ହୋଇଥିଲା । ଆଉ ଏହି କରିତକର୍ମା ଅଫିସରଙ୍କ ଘରୁ ଜବତ ହୋଇଥିଲା ନଗଦ ୧କୋଟିରୁ ଉଦ୍ଧ୍ୱର୍ ଟଙ୍କା । ଏହାକୁ ଦେଖି ତାଜୁବ ହୋଇ ଯାଇଥିଲେ ଭିଜିଲାନ୍ସ ଅଧିକାରୀ । ଖାଲି ଏତିକି ନୁହେଁ, ୩କୋଟି ୪୬ଲକ୍ଷର ବ୍ୟାଙ୍କ ଡିପୋଜିଟ ଓ ଆଲିସାନ ବଙ୍ଗଳା, ସୁନା ଅଳଙ୍କାର ଆଦି ଜବତ ହୋଇଥିଲା । ଗିରଫ ହେବା ସହ ତାଙ୍କୁ ନିଲମ୍ବନ କରିଥିଲେ ସରକାର ।

ସେହିପରି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଉ ଜଣେ ଦୁର୍ନୀତିଖୋର ଅଧିକାରୀ ହେଉଛନ୍ତି , ପ୍ରାଣକୃଷ୍ଣ ପ୍ରସାଦ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ । ଲାଂଚ ନେବା ବେଳେ ଦୁଇ ଥର ଧରା ପଡିଥିଲେ ପ୍ରାଣକୃଷ୍ଣ ପ୍ରସାଦ । ଦୁଇ ଦୁଇଟି ଭିଜିଲାନ୍ସ ମାମଲା ଚାଲିଛି ତାଙ୍କ ନାଁରେ । ଦୁର୍ନୀତି ଓ ଲାଂଚ କାରବାର କରିବାରେ ବେଶ ଅଭ୍ୟସ୍ତ ଏହି ସରକାରୀ ବାବୁ ।

ସେହିପରି ଆଉ ଜଣେ ସରକାରୀ ଅଧିକରୀ ହେଉଛନ୍ତି ଉମେଶ ଚନ୍ଦ୍ର ତ୍ରିପାଠୀ, ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ । ଏହି ବାବୁଙ୍କ ନାଁରେ ରହିଛି ୪ଟି ଭିଜିଲାନ୍ସ ମାମଲା । ଅଭ୍ୟାସଗତ ଭାବେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭାବେ ସରକାର ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଦେଇଛନ୍ତି ବାଧ୍ୟତାମୂଳକ ଅବସର ।

ଦୁର୍ନୀତିର କଳା ଦାଗ ଲାଗିଥିବା ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଗତ ୪ ତାରିଖରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ସରକାର । ଏହା ପୂର୍ବରୁ ଗୋଟିଏ ମାସରେ ୩୭ ଜଣ ଅଧିକାରୀଙ୍କୁ ବରଖାସ୍ତ କରିଥିଲେ ସରକାର ।

ଅକ୍ଟୋବର ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଶାସନକୁ ଲୋକାଭିମୁଖୀ କରିବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ଏପଟେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀଙ୍କୁ ତାଗିଦ କରାଯାଉଛି । ତେବେ ବଡ଼ ପ୍ରଶ୍ନ ହେଉଛି, ସରକାରଙ୍କ ଏହି ଅପରେସନ୍ କ୍ଲିନ୍ ପରିଧି ଭିତରକୁ କେବେ ଆସୁଛନ୍ତି ବଡ଼ ସରକାରୀ ବାବୁ ?