ଦୁର୍ଦ୍ଧାନ୍ତ ଆତଙ୍କବାଦୀ ଖାଲିଦ୍ ଗିରଫ୍ । ଗତବର୍ଷ ୩ ବିଜେପି କର୍ମୀଙ୍କ ସହ ଜଣେ ପୋଲିସ କର୍ମୀଙ୍କ ହତ୍ୟାରେ ଥିଲା ସଂପୃକ୍ତି

111

କନକ ବ୍ୟୁରୋ : ଗତବର୍ଷ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ୩ ବିଜେପି ନେତାଙ୍କୁ ଆତଙ୍କବାଦୀ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟିଆରଏଫ ଆତଙ୍କବାଦୀ ସଂଗଠନର ସଦସ୍ୟ ଜହୁର ଅହମ୍ମଦ ଓରଫ୍ ଖାଲିଦକୁ ଗିରଫ୍ କରିଛି ପୋଲିସ । ସାମ୍ବା ଜିଲ୍ଲାରୁ ଖାଲିଦକୁ ଗିରଫ୍ କରାଯାଇଥିବା ନେଇ ପୋଲିସ ସୂଚାନ ଦେଇଛି । ପୋଲିସର ସୂଚନା ମୁତାବକ କେବଳ ୩ ବିଜେପି ନେତା ନୁହନ୍ତି ଖାଲିଦ୍ ବି ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା ।
କାଶ୍ମୀର ଜୋନରେ ପୋଲିସ ଆଇଜି ଭାବେ କାର୍ଯ୍ୟରତ ବିଜୟ କୁମାରଙ୍କ ସୂଚନା ମୁତାବକ ଖାଲିଦକୁ ପୋଲିସ ଗୋଟିଏ ବର୍ଷ ହେବ ଖୋଜୁଥିଲା । ହେଲେ କିଛି ଦିନ ତଳେ ସୂଚନା ମିଳିଥିଲା କି ସେ ସାମ୍ବା ଜିଲ୍ଲାରେ ରହୁଛି । ସୂଚନା ପାଇବା ପରେ ପୋଲିସ ୧୨ ତାରିଖ ଦିନ ବିଳମ୍ବିତ ରାତିରେ ଖାଲିଦକୁ ସାମ୍ବା ଜିଲ୍ଲାରୁ ଗିରଫ୍ କରିବାରେ ସଫଳ ହୋଇଛି । କହିରଖୁ କି ଆତଙ୍କବାଦୀ ସଂଗଠନ ଟିଆରଏଫ ଲଶ୍କର-ଇ- ତୋଇବାର ଏକ ସଂଗଠନ ।
ପୋଲିସ ଆଇଜିଙ୍କ ସୂଚନା ମୁତାବକ ଗତବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ଖାଲିଦ ଓ ତା’ କିଛି ସହଯୋଗୀ ମାନେ ମିଶି ସାମ୍ବା ଜିଲ୍ଲାର ୩ ବିଜେପି ନେତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରିଥିଲା । ଏହା ସହ ଦକ୍ଷିଣ କାଶ୍ମୀରର ଫୁରାରେ ଜଣେ ପୋଲିସକର୍ମୀ ହତ୍ୟା ମାମଲାରେ ବି ଖାଲିଦର ନାମ ରହିଛି ।