ଆଜି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଶିମିଳିପାଳ ନିଆଁକୁ ନେଇ ତାତିବ ଗୃହ; କେମିତି ନିଆଁ ଲାଗିଲା, ସରକାର ଦେବେ ଜବାବ

ସେପଟେ ଧାନକୁ ନେଇ ପୁଣି ମୁହାଁମୁହିଁ ହୋଇପାରନ୍ତି ସରକାର ବିରୋଧୀ; ଧାନ କିଣା ପ୍ରସଙ୍ଗରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇପାରେ କଂଗ୍ରେସ

112

କନକ ବ୍ୟୁରୋ : ଆଜି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ । ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ । କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ, ଏନେଇ ସରକାରକୁ ଜବାବ ମଗାଯିବ ବୋଲି କହିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ନିଆଁ ଲାଗୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଥିଲେ ।

ସେହିପରି ରାଜ୍ୟର ଆଇନଶୃଙ୍ଖଳା, ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା ଆଦି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠାଇବେ ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଶିମିଳିପାଳ ନିଆଁ, ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ । ଏହାର ଜବାବ ଦେଇ ବିଜେଡି କହିଛି, ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ, ତାକୁ ସାମନା କରିବାକୁ ପ୍ରସ୍ତୁତ ଅଛି ଶାସକ ଦଳ ।

କଂଗ୍ରେସ ବିଧାୟକ ଦଳ ନେତା ନରିସଂହ ମିଶ୍ର ସିଧାସଳଖ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, ସରକାର ଚାଷୀଙ୍କୁ ଠକିଛନ୍ତି। ଚାଷୀ ଧାନ ବିକ୍ରି କରି ନ ପାରି ଆତ୍ମହତ୍ୟା କରିବାକୁ ବାହାରିଲେଣି। ଏ ନେଇ ସସସ୍ତ ସଦସ୍ୟ ଗୃହରେ ଉଦ୍‌ବେଗ ପ୍ରକାଶ କଲେ। ଦୁଇ ଦିନ ଗୃହ ଅଚଳ ହେଲା। ପରେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେଲା ପଞ୍ଜୀକୃତ ହୋଇଥିବା ପ୍ରକୃତ ଚାଷୀଙ୍କର ସମସ୍ତ ଧାନ ସରକାର କିଣିବେ।

ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ଗୃହରେ ପ୍ରତିଶ୍ରୁତି ଦେଲେ। ଅଥଚ ଏ ପର୍ଯ୍ୟନ୍ତ ଚାଷୀଙ୍କର ଧାନ ଉଠିଲାନି। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳ ଓଡ଼ିଶାରେ ଚାଷୀଙ୍କର ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ିରହିଛି। ଏଭଳି ସ୍ଥିତିର ଫାଇଦା ଉଠାଉଛନ୍ତି ଦଲାଲ, ମିଲ ମାଲିକ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ। ସେମାନେ ଏବେ ଚାଷୀଙ୍କଠାରୁ ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ କମ୍‌ ଦରରେ ଧାନ କିଣୁଛନ୍ତି ।