ଲାଇଭ୍ ଟେଲିକାଷ୍ଟ୍ ସମୟରେ ମହିଳା ସମ୍ବାଦଦାତାଙ୍କୁ ଅସଦାଚରଣ ! ରିପୋର୍ଟରଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କଲେ ବ୍ୟକ୍ତି , ଭିଡିଓ ହେଲା ଭାଇରାଲ୍

775

ଜଣେ ସାମ୍ବାଦିକଙ୍କ କାମ ହେଉଛି ଜନତାଙ୍କ ପାଖରେ ସଠିକ୍ ଖବର ପହଁଚାଇବା । ଏଥିପାଇଁ ରାତିଦିନ କଷ୍ଟକରି ଜଣେ ସାମ୍ବାଦିକ ଜନତାଙ୍କ ଆଗରେ ନିର୍ଭୁଲ ଖବର ପ୍ରସାରଣ କରିଥାନ୍ତି । କିନ୍ତୁ ଖବର ସଂଗ୍ରହ ସମୟରେ ତାଙ୍କୁ କିଭଳି ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡେ ତାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆମେରିକାର କଣ୍ଟକୀ ଲୋଇସବିଲେଠାରେ ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍ ଟିଭିରେ ଚୁମ୍ବନ ଦେବା ଭଳି କାମ କରିଛନ୍ତି ଜଣେ ବ୍ୟକ୍ତି । ତେବେ ଚୁମ୍ବନ କରିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କ ଉପରେ ଉତ୍ପୀଡନର ମାମଲା ଲଗାଇଛନ୍ତି ମହିଳା ରିପୋର୍ଟର । ସ୍ଥାନୀୟ ଟିଭି ଚ୍ୟାନେଲ୍ ୱେଭ୍ -୩ ରେ କାମ କରୁଥିବା ରିପୋର୍ଟର ସାରା ରିବେଶଟଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା ।

wave3.com ମୁତାବକ , ରିପୋର୍ଟରଙ୍କୁ ଉତ୍ପୀଡନ କରିଥିବା ବ୍ୟକ୍ତିଙ୍କ ନାଁ ଏରିକ୍ ଗୁଡମେନ୍ (୪୨) ବୋଲି ଜଣାପଡିଛି । ସେପ୍ଟେମ୍ବର ୨୧ ତାରିଖରେ ରିପୋର୍ଟର କଣ୍ଟକୀରେ ହେଉଥିବା Bourbon & Beyond ଉତ୍ସବ ସମୟରେ ରିପୋର୍ଟିଙ୍ଗ୍ କରୁଥିବା ବେଳେ ତାଙ୍କ ସହ ଘଟିଥିଲା ଏହି ଘଟଣା । ମହିଳା ରିପୋର୍ଟର ଜଣକ ଏହାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର୍ କରିଥିଲେ । ଭିଡିଓଟି ଭାଇରାଲ୍ ହେବା ପରେ ୱେଭ୍ -୩ ଚ୍ୟାନେଲ୍ ରେ ଏହାକୁ ନେଇ ତର୍କବିତର୍କ ମଧ୍ୟ ହୋଇଥିଲା । ଘଟଣାଟି ଭାଇରାଲ୍ ହେବାପରେ ଅଭିଯୁକ୍ତ ସାରାଙ୍କୁ କ୍ଷମାପ୍ରାର୍ଥନା କରିଥିଲେ ଏବଂ ସାରା ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ କ୍ଷମା କରିଦେଇଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଜ୍ଞାତ ବ୍ୟକ୍ତି ଜଣକ ପ୍ରଥମେ ରିପୋର୍ଟରଙ୍କ ପଛରେ ପରିହାସ ଇଙ୍ଗିତ କରୁଛନ୍ତି ଏବଂ ଏହାପରେ ସେ ଚୁମ୍ବନ ଦେବାକୁ ଚେଷ୍ଟା କରୁଛନ୍ତି । ଲାଇଭ୍ ଟେଲିକାଷ୍ଟ୍ ଚାଲିଥିବାରୁ ରିପୋର୍ଟର ଅସହଜ ହୋଇ ହସିଥିଲେ ଏବଂ ବ୍ୟକ୍ତିଙ୍କୁ ଏହା ଉଚିତ୍ ନୁହେଁ ବୋଲି କହିଥିଲେ ।