ରାଜ୍ୟର ୨୫୩୧ଟି ଘରୋଇ ସ୍କୁଲକୁ ମିଳିନି ସ୍ୱୀକୃତି । ବିଧାନସଭାରେ ଉତ୍ତର ରଖି ତଥ୍ୟ ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

200

କନକ ବ୍ୟୁରୋ: ରାଜ୍ୟରେ ଏବେ ସୁଦ୍ଧା ୨୫୩୧ଟି ଘରୋଇ ସ୍କୁଲକୁ ମିଳିନି ସରକାରୀ ସ୍ୱୀକୃତି । ରାଜ୍ୟରେ ଏବେ ସମୁଦାୟ ମୋଟ ୬୭୬୭ଟି ଘରୋଇ ସ୍କୁଲ ରହିଥିଲେ ବି ସେମାନଙ୍କ ଭିତରୁ କେବଳ ୪୨୩୬ଟି ସ୍କୁଲ ସରକାରୀ ସ୍ୱୀକୃତି ପାଇଛନ୍ତି ଏବଂ ବାକି ସ୍କୁଲମାନେ କୌଣସି ସ୍ୱୀକୃତି ପାଇନାହାନ୍ତି । ଆଜି ବିଧାନସଭାରେ ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବିଧାୟକ ଚକ୍ରମଣୀ କହଁର ରାଜ୍ୟରେ କେତୋଟି ଘରୋଇ ସ୍କୁଲ ଅଛି ଏବଂ ସେମାନଙ୍କ ଭିତରୁ କେତୋଟି ସରକାରୀ ସ୍ୱୀକୃତି ଲାଭ କରିଛନ୍ତି ତାହା ଜାଣିବାକୁ ପ୍ରଶ୍ନ କରିଥିଲେ । ଏଥିସହ ବେଆଇନ୍ ଭାବେ ଚାଲୁଥିବା ସ୍କୁଲର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର କି ପଦକ୍ଷେପ ନେଇଛନ୍ତି ତା ମଧ୍ୟ ଜାଣିବାକୁ ଚାହିଁଥିଲେ ।

ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ଏବେ ବି ୨୫୩୧ଟି ଘରୋଇ ସ୍କୁଲ ସ୍ୱୀକୃତି ଲାଭ କରିନାହାନ୍ତି । ସେମାନେ ନିୟମାନୁଯାୟୀ ଆବଶ୍ୟକ ବିଭିନ୍ନ ମାନଦଣ୍ଡ ପୂରଣ କରୁନଥିବାରୁ ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇନି ।