କନକ ବ୍ୟୁରୋ : ସାରା ଦେଶରେ ରାମନବମୀ ପର୍ବ ଆନନ୍ଦ ଉଲ୍ଲାସରେ ଚାଲିଥିବା ବେଳେ ମଧ୍ୟପ୍ରଦେଶରୁ ଆସିଛି ଦୁଃଖଦ ଖବର । ମଧ୍ୟପ୍ରଦେଶ ଇନ୍ଦୋର ଠାରେ ଥିବା ଝୁଲେଲାଲ ମନ୍ଦିରରେ ରାମନବମୀ ପାଇଁ ପୂଜା ଚାଲିଥିବା ବେଳେ ମନ୍ଦିର ପରିସରରେ ଥିବା ଏକ କୂଅର କାନ୍ଥ ଭାଙ୍ଗିଯାଇଥିଲା । ଫଳରେ କୂଅ ଉପରେ ଚଢି ପୂଜା ଦେଖୁଥିବା ଭକ୍ତଙ୍କ ମଧ୍ୟରୁ ୩୦ରୁ ଅଧିକ ଭକ୍ତ କୂଅ ଭିତରକୁ ଗଳିପଡିଥିଲେ । ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ସଦ୍ୟ ସୂଚନା ମୁତାବକ କୂଅ ଭିତରେ ଗଳିପଡିଥିବା ଭକ୍ତଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି ।

Advertisment

ଇନ୍ଦୋର ପୋଲିସ କମିଶନର ମକରନ୍ଦ ଦେଓସକରଙ୍କ କହିବା ମୁତାବକ ଏପର୍ଯ୍ୟନ୍ତ ୧୩ଜଣଙ୍କର ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି । ହେଲେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କୂଅ ଭିତରେ ଆଉ କେତେ ଭକ୍ତ ଫଶି ରହିଛନ୍ତି ତାର ସଠିକ୍ ଆକଳନ କରାଯାଇପାରି ନାହିଁ ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ସପନା ସଂଗୀତା ରୋଡ ସ୍ଥିତ ସ୍ନେହ ନଗର ମନ୍ଦିରରେ ଜଜ୍ଞ ଚାଲିଥିଲା । ଏହାସହ ମନ୍ଦିରରେ କନ୍ୟା ପୂଜନ କାର୍ଯ୍ୟକ୍ରମ ମଧ୍ୟ ଥିଲା । ଫଳରେ ମନ୍ଦିରରେ ଭକ୍ତଙ୍କ ଭିଡି ଲାଗିଥିଲା । ୩୦ରୁ ଅଧିକ ଭକ୍ତ କୂଅ ଉପରେ ପଡିଥିବା ଛାତ ଉପରେ ଚଢି ପୂଜା ଦେଖୁଥିଲେ । ହଠାତ କୂଅର ଛାତ ଗଳିପଡିଥିଲା ଓ ତା ଉପରେ ଚଢିଥିବା ଭକ୍ତମାନେ କୂଅ ଭିତରକୁ ଗଳିପଡିଥିଲେ । ଭକ୍ତମାନେ କୂଅର ୪୦ ଫୁଟ ତଳକୁ ଚାଲିଯାଇଥିବା କଥା କୁହାଯାଉଛି ।