ଆପଣ ପଢୁଥିବା ବିଶ୍ୱବିଦ୍ୟାଳୟ ନକଲି ନୁହେଁ ତ ? ଦେଶର ୨୩ଟିରୁ ରାଜ୍ୟରେ ରହିଛି ୨ଟି ଫେକ୍ ୟୁନିଭରସିଟି

28

କନକ ବ୍ୟୁରୋ : ପାଠ ଅସଲି, ସଂସ୍ଥା ନକଲି । ଆପଣ ପଢୁଥିବା ବିଶ୍ୱବିଦ୍ୟାଳୟ ନକଲି ନୁହେଁ ତ ? କାରଣ ୟୁଜିସିର ରିପୋର୍ଟ ଅନୁସାରେ ଦେଶରେ ଚାଲିଥିବା ୨୩ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ଓଡିଶାର ଦୁଇ ପ୍ରମୁଖ ବିଶ୍ୱବିଦ୍ୟାଳୟ । ଗୋଟିଏ ମୟୁରଭଞ୍ଜ ବାରିପଦାରେ ଥିବା ନର୍ଥ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି । ଏବଂ ଅନ୍ୟଟି ହେଉଛି ରାଉରକେଲାରେ ଥିବା ନବଭାରତ ଶିକ୍ଷା ପରିଷଦ ।

ବର୍ଷବର୍ଷ ଧରି ୟୁନିଭର୍ସିଟି ଗ୍ରାଂଟ୍ସ କମିଶନର ଅନୁମୋଦନ ନଥାଇ ଚାଲିଛି ଛାତ୍ରଛାତ୍ରୀଙ୍କ ନାମଲେଖା । ଉଚ୍ଚଶିକ୍ଷା ନାଁରେ ହରିଲୁଟ ହେଉଛି ଟଙ୍କା । ଏଠାରୁ ଉତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ଯେଉଁ ପ୍ରମାଣପତ୍ର ଦିଆଯାଉଛି ତାର ବୈଧତା ନେଇ ଉଠିଛି ପ୍ରଶ୍ନ । କାରଣ ୟୁଜିସିର ଅଫିସିଆଲ ୱେବସାଇଟରେ ଏହିସବୁ ବିଶ୍ୱବିଦ୍ୟାଳୟ ନକଲି ବୋଲି ସୂଚନା ଦିଆଯାଇଛି । ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ନକଲି ବିଶ୍ୱବିଦ୍ୟାଳୟ ଚାଲିଥିବା ୟୁଜିସି ସୂଚନା ଦେଇଛି ।