୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣା । ୧୩ ବର୍ଷ ପରେ ଆଉ ଜଣେ ଅପରାଧୀକୁ ବାନ୍ଧିଲା କମିଶନରେଟ୍ ପୋଲିସ ।

893

 

କନକ ବ୍ୟୁରୋ: କମିଶନରେଟ୍ ପୋଲିସକୁ ବଡ ସଫଳତା । ୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ପୋଲିସ ୧୩ ବର୍ଷ ପରେ ଆଉ ଜଣେ ଅପରାଧୀକୁ ଗିରଫ କରିଛି । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଦୀର୍ଘ ୧୩ ବର୍ଷ ତଳର ଏହି ଘଟଣାରେ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀକୁ ଗିରଫ କରିଛି ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ୧୩ ବର୍ଷ ତଳର ଏହି ହତ୍ୟା ପଛରେ ପ୍ରତିଶୋଧ ହିଁ ମୁଖ୍ୟ କାରଣ ଥିଲା । ଗିରଫ ହୋଇଥିବା ଅପରାଧୀ ଜଣକ ନିଜ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରିଥିଲା । ଏଥିପାଇଁ ସେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ସହିତ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲା । ଏବଂ ହତ୍ୟା କରିବା ପରେ ସୁମନ୍ତଙ୍କୁ ତାଙ୍କ ଗାଡି ଭିତରେ ହିଁ ରଖି ଦେଇଥିଲା ।

ପୋଲିସ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଗିରଫ କରିଥିଲା । ହେଲେ ପଂଚମ ଅଭିଯୁକ୍ତ ବିକ୍ରମ ଆଦିତ୍ୟ ଜେନା ଏହି ହତ୍ୟା କରିବା ପରେ ଫେରାର୍ ହୋଇଯିବା ସହିତ ପୋଲିସ ହାତରୁ ଖସି ଯାଇଥିଲା । ଗତ ୧୩ ବର୍ଷ ହେଲା ସେ ପୁନେରେ ରହିବା ସହିତ ଜଣେ ଜିମ୍ ଟ୍ରେନର ଭାବେ କାମ କରୁଥିଲା । ମଝିରେ ମଝିରେ ସେ ନିଜ ଘର ସହିତ ମଧ୍ୟ ସଂପର୍କରେ ରହୁଥିଲା । ପୋଲିସ ଏହାପରେ ଛାନଭିନ୍ କରି ତାକୁ ଗିରଫ କରିଛି ବୋଲି କହିଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।