ପୁଣି ଆଧାର ଛଡାଇନେଲା ଆହାର…! ଆଧାର କାର୍ଡ ନାହିଁ ବୋଲି ଅଧାରେ ଅଟକିଲା ରାସନ…ଚାଉଳ ନପାଇ ଭୋକରେ ୨୨ଟି ଆଦିବାସୀ ପରିବାର

522

କନକ ବ୍ୟୁରୋ: ଭୋକିଲା ପେଟରେ ଆହାର ଦେବାକୁ ଟଙ୍କାକିଆ ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସେହିଭଳି ଖାଦ୍ୟ ସୁରକ୍ଷା ଯୋଜନାରୁ କେହି ଯେପରି ବାଦ୍ ନପଡିବେ ସେଥିପ୍ରତି ମଧ୍ୟ ଜୋର ଦିଆଯାଉଛି । ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଦିବାସୀ ବହୁଳ ଅଂଚଳବାସୀଙ୍କ ପାଇଁ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାଟି ସତେ ଯେମିତି ଉପହାସ ପାଲଟିଛି ।

ହରଭଙ୍ଗା ବ୍ଲକ ଆଡେଶିଗଡ ପଂଚାୟତର ଘଂଚ ଜଙ୍ଗଲ ମଧ୍ୟରେ ଥିବା ଗୋଛାବାରୀ ଓ ନୂଆଗାଁରେ ଦୀର୍ଘ ୧୦ ବର୍ଷ ହେଲା ୨୨ଟି ଆଦିବାସୀ ପରିବାରର ଶହେରୁ ଅଧିକ ଲୋକ ବାସକରନ୍ତି । ଜଙ୍ଗଲରୁ ମହୁ, ଲାଖ, ଝିଣା, ଜଙ୍ଗଲି କନ୍ଧା ଆଦି ବିକ୍ରି କରି ଏହି ଆଦିବାସୀ ଲୋକେ ପେଟ ପାଳିଆସୁଛନ୍ତି । ବିଡମ୍ବନାର ବିଷୟ ହେଲା କି ବର୍ଷ ବର୍ଷ ଧରି ଏମାନେ ଏଠାରେ ରହିଆସୁଥିଲେ ସୁଦ୍ଧା ଏମାନଙ୍କର ନା କୌଣସି ପରିଚୟ ପତ୍ର ଅଛି ନା ହିଁ ଆଧାର କାର୍ଡ । ଯେଉଁ କାରଣରୁ ଏମାନେ ସମସ୍ତ ସରକାରୀ ସୁବିଧାରୁ ବଂଚିତ ହୋଇ ଆସୁଥିଲେ । ପରବର୍ତ୍ତୀ ସମୟରେ ଏସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଭୋଟର ପରିଚୟ ପତ୍ର ଆଙ୍ଗୁଠି ଛାପକୁ ଭିତ୍ତି କରି ଉଭୟ ଆଧାର କାର୍ଡ ଓ ରାସନକାର୍ଡ ଦିଆଯାଇଥିଲା ।

ମାତ୍ର ରାସନକାର୍ଡରେ ଆଧାର ସଂଯୋଗୀକରଣ କରିବା ନେଇ ନିୟମ ଲାଗୁ ହେବା ପରେ ଅର୍ଜିନାଲ ଆଧାରକାର୍ଡ ନଥିବାରୁ ଏମାନେ ଦୀର୍ଘ ୪ ମାସ ହେଲା ଚାଉଳ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ବର୍ତ୍ତମାନ ଭୋକ ଉପାସରେ ଦିନ କାଟୁଛନ୍ତି ଆଦିବାସୀ ସଂପ୍ରଦାୟର ଏହି ୨୨ ପରିବାରର ଲୋକେ ।