ରାଜ୍ୟରେ କମୁଛି କରୋନା ଗ୍ରାଫ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଟିକାକରଣ ଯୋଗୁଁ କମ ରହୁଛି ପ୍ରଭାବ

91

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି ସଂକ୍ରମଣ ସ୍ଥିତି ଏବେ କମିବା ସ୍ତରରେ ରହିଛି, କିନ୍ତୁ ପୁରା ତଳକୁ ଖସିନାହିଁ । ଟିକାକରଣ ଅଧିକ ହେଉଥିବାରୁ ଲୋକଙ୍କ ନିକଟରେ ଲକ୍ଷଣ କମ୍ ରହୁଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ ।

ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କୋଭିଡ ତଳମୁହାଁ ଅଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡାର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ୟନ୍ତ ଆମେ ତଳକୁ ଆସିନେ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ।

ଦିନକରେ ଆଉ ୫ ହଜାର ୫୭ ନୂଆ ପଜିଟିଭ୍ ଚିହ୍ନଟ । ଗତକାଲି ଏହି ସଂଖ୍ୟା ଥିଲା ୫ ହଜାର ୯୦୧ । ୨୪ ଘଂଟାରେ ୬୧ ହଜାର ୬୩୫ ନମୁନା ପରୀକ୍ଷା ହୋଇଥିବା ବେଳେ ୫ ହଜାର ୫୭ ପଜିଟିଭ୍ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରହିଛି । ଜିଲ୍ଲାରେ ୨୪ ଘଂଟାରେ ଆଉ ୧ ହଜାର ୧୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ୨୧୭ ପଜିଟିଭ୍ ଆସିଛି । ବାଲେଶ୍ୱରରୁ ୨୦୨, ନୂଆପଡ଼ାରୁ ୧୯୦, ସମ୍ବଲପୁରରୁ ୧୭୯, କଳାହାଣ୍ଡିରୁ ୧୪୦ ଜଣ ସଂକ୍ରମିତ ହୋଇଛନ୍ତି । ସେପଟେ କରୋନା କାରଣରୁ ରାଜ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର ୯ଦଶମିକ ୩୪ ପ୍ରତିଶତ ହୋଇଛି ।