ସାରଦା ଖଣିକୁ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । ଖଣିର ନିର୍ଦ୍ଦେଶକଙ୍କୁ ଡିମାଣ୍ଡ ନୋଟିସ ପଠାଇଲେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ

104

କନକ ବ୍ୟୁରୋ: ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ନିକଟକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କା ଜରିମାନା ପାଇଁ ଡିମାଣ୍ଡ ନୋଟିସ ପଠାଯାଇଛି । ୨୫ ଜାନୁୟାରୀରେ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସରେ ଦର୍ଶାଯାଇଛି, ପରିବେଶ ମଂଜୁରୀକୁ ଉଲଂଘନ କରି ବ୍ୟାପକ ଖଣି ଖନନ କରିଛି ସାରଦା ମାଇନ୍ସ । ଠାକୁରାଣୀ ବ୍ଲକ ବି ଲୁହା ଖଣିରେ ସାରଦା ମାଇନ୍ସ ଅନୁମତି ଠାରୁ କେତେ ଅଧିକ ଖନନ କରିଛି, ତା’ର ବିବରଣୀ ମଧ୍ୟ ଏହି ନୋଟିସରେ ପ୍ରଦାନ କରାଯାଇଛି । ଡିମାଣ୍ଡ ନୋଟିସ ପଠା ଯାଇଥିଲେ ବି ବର୍ତମାନ ଖଣି ଖନନ କାର୍ଯ୍ୟ ବନ୍ଦ ହେବ ନାହିଁ । ଡିମାଣ୍ଡ ନୋଟିସ୍ ଅନୁସାରେ ଯଦି ସାରଦା ଖଣି, ପଦକ୍ଷେପ ନେବ ନାହିଁ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ପରିବେଶ ମଂଜୁରୀଠାରୁ ଅଧିକ ଖଣି ଖନନ ନେଇ ଗତବର୍ଷ ଅକ୍ଟୋବର ୬ ତାରିଖ ଓ ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ସାରଦା ଖଣିକୁ ନୋଟିସ କରାଯାଇଥିଲା । ଗତ ୨୫ ତାରିଖରେ ସାରଦା ମାଇନ୍ସ ପକ୍ଷରୁ ଯେଉଁ ଉତ୍ତର ରଖାଯାଇଥିଲା, ତାହା ସନ୍ତୋଷଜନକ ନଥିଲା ବୋଲି ଦର୍ଶାଇଛନ୍ତି ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ । ଏହାପରେ ୨ ହଜାର ୫୬ କୋଟିରୁ ଅଧିକ ଜରିମାନା ପାଇଁ ଡିମାଣ୍ଡ ନୋଟିସ୍ ପଠାଯାଇଛି । ତେବେ ଏ ନେଇ ସାରଦା ଖଣି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।