କିଏ ସାଂସଦ ତ କିଏ ପୋଲିସ ଡିସିପି ? ଜାଣନ୍ତୁ କ୍ରିକେଟ ମୈଦାନରୁ ଅବସର ନେବା ପରେ କଣ କରୁଛନ୍ତି ୨୦୦୭ ଟି-୨୦ ବିଶ୍ୱକପ ବିଜୟୀ ଦଳର ହିରୋ ।

640

କନକ ବ୍ୟୁରୋ : ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ ।  ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଅକ୍ଟୋବର ୧୬ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୨୨ରୁ ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ଚଳିତବର୍ଷ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଥରେ ଚାମ୍ପିୟନ ହୋଇଛି । ଆଉ ତାହା ବି ପୁଣି ଧୋନୀଙ୍କ ନେତୃତ୍ୱରେ ପ୍ରଥମ ସଂସ୍କରଣରେ । ପ୍ରଥମ ସଂସ୍କରଣରେ ଭାରତୀୟ ଟିମରେ ସ୍ଥାନ ପାଇଥିବା ୨ ଖେଳାଳୀ ଚଳିତ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ୧୫ ବର୍ଷ ପରେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି । କାହାକୁ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିଛି ତ ପୁଣି କିଏ ପୋଲିସ ବିଭାଗର ଉଚ୍ଚ ପଦବୀରେ ଅବସ୍ଥାପିତ ଅଛନ୍ତି ।  ତେବେ ଟି-୨୦ ବିଶ୍ୱକପର ୧୫ ହିରୋ ଏବେ କରୁଛନ୍ତି କଣ ତାହା ଉପରେ ଥରେ ନଜର ପକାନ୍ତୁ ।

 

ମହେନ୍ଦ୍ର ସିଂ ଧୋନୀ : ୨୦୦୭ରେ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରିଥିଲେ ଧୋନୀ । ଆଉ ଦିନିକିଆ ବିଶ୍ୱକପରେ ଭାରତକୁ କରିଥିଲେ ବିଶ୍ୱବିଜୟୀ । ତେବେ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଧୋନୀ । ଏବେ ଧୋନୀ ଆଇପିଏଲରେ ଚେନ୍ନାଇ ଟିମର ଅଧିନାୟକ ଥିବା ବେଳେ ଭାରତୀୟ ସେନାର ଉଚ୍ଚ ପଦବୀରେ ଅବସ୍ଥାପିତ ଅଛନ୍ତି ।

 

ଯୁବରାଜ ସିଂ : ଭାରତୀୟ ଟିମର ଭରସାଯୋଗ୍ୟ ଅଲରାଉଣ୍ଡର ଯୁବରାଜ ସିଂ ୨୦୦୭ ଟି-୨୦ ବିଶ୍ୱକପ ଟିମର ଉପ-ଅଧିନାୟକ ରହିଥିଲେ । ଟି-୨୦ ବିଶ୍ୱକପରେ ଯୁବରାଜଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଥିଲା ବିଶ୍ୱ । ଟି-୨୦ ବିଶ୍ୱକପରେ ୬ ବଲରେ ୬ ଛକା ମାରି ନୂଆ ରେକର୍ଡ କରିଥିଲେ ଯୁବରାଜ । ସେହିଭଳି ଦିନିକିଆ ବିଶ୍ୱକପ ବିଜୟ ପଛରେ ମଧ୍ୟ ଯୁବରାଜଙ୍କ ଅବଦାନ ଅତୁଳନୀୟ । ତେବେ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଯୁବରାଜ । ଏବେ ଯୁବରାଜ ନିଜ ପରିବାର ସହ ସମୟ କାଟୁଥିବା ବେଳେ  ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଓ ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ଖେଳୁଛନ୍ତି ।

 

ବୀରେନ୍ଦ୍ର ସେହୱାଗ : ଟିମ୍ ଇଣ୍ଡିଆର ପୂର୍ବତନ ଦୁର୍ଦ୍ଦଷ ବ୍ୟାଟର ବୀରେନ୍ଦ୍ର ସେହୱାଗ ୨୦୦୭ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ଫାଇନାଲ ମୁକାବିଲାରେ ଆହତ କାରଣରୁ ଖେଳିପାରିନଥିଲେ ସେହୱାଗ । କିନ୍ତୁ ଉଭୟ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପରେ ବୀରେନ୍ଦ୍ର ସେହୱାଗଙ୍କ ତୋଫାନୀ ବ୍ୟାଟିଂ ବିପକ୍ଷ ଦଳର ଚିନ୍ତା ବଢାଇଥିଲା । ତେବେ କ୍ରିକେଟ ମୈଦାନରୁ ସନ୍ନ୍ୟାସ ନେବା ପରେ ଏବେ ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହାଛଡା ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ସକ୍ରିୟ ଅଛନ୍ତି ସେହୱାଗ । ଏହାଛଡା କ୍ରିକେଟରୁ ଅବସର ନେବା ପରେ ଆଇପିଏଲରେ ପଞ୍ଜାବ ଦଳର କୋଚ ଭୂମିକା ତୁଲାଇଥିଲେ ।

ଗୌତମ ଗମ୍ଭୀର : ୨୦୦୭ ଟି-୨୦ ବିଶ୍ୱକପରେ ଉଦୀୟମାନ ତାରକା ଭାବେ ଉଭା ହୋଇଥିଲେ ଗୌତମ ଗମ୍ଭୀର । ଉଭୟ ଟି-୨୦ ବିଶ୍ୱକପ ଓ ଦିନିକିଆ ବିଶ୍ୱକପରେ ଗମ୍ଭୀର ଭାରତର ସୁରକ୍ଷାକବଚ ସାଜିଥିଲେ । ତେବେ ୨୦୧୮ ମସିହାରେ ଗୌତମ ଗମ୍ଭୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ଗମ୍ଭୀର ଲୋକପ୍ରିୟ ଭାଷ୍ୟକାର ଭୂମିକା ତୁଲାଉଥିବା ବେଳେ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟର ମଧ୍ୟ ରହିଛନ୍ତି । ଏହାଛଡା ଗମ୍ଭୀର ସକ୍ରିୟ ରାଜନୀତିରେ ପାଦ ଦେବା ସହ ବିଜେପି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

 

ଅଜିତ ଅଗରକର : ୨୦୦୭ ଟି-୨୦ ବିଶ୍ୱକପରେ ଭାରତୀୟ ବୋଲିଂ ବାହିନୀର ମଙ୍ଗ ସମ୍ଭାଳିଥିଲେ ଅଜିତ ଅଗରକର । ତେବେ ବିଶ୍ୱକପରେ ଏତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ ଅଗରକର । ଦୀର୍ଘ ବର୍ଷ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିବା ପରେ ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଏବେ ଅଗରକର ଭାଷ୍ୟକାର ସହ କ୍ରିକେଟ ବିଶ୍ଲେଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

 

ପୀୟୁଷ ଚାୱାଲା : ଭାରତୀୟ ସ୍ପିନର ପୀୟୁଷ ଚାୱାଲା ୨୦୦୭ ଟି-୨୦ ବିଶ୍ୱକପ ଦଳର ସଦସ୍ୟ ରହିଥିଲେ । ଏପରିକି ୨୦୧୧ ବିଶ୍ୱକପ ଦଳରେ ମଧ୍ୟ ସ୍ଥାନ ପାଇଥିଲେ ପୀୟୂଷ ଚାୱାଲା । ତେବେ ୨୦୧୨ ପରେ ପୀୟୁଷଙ୍କୁ ଟିମ୍ ଇଣ୍ଡିଆରେ ପୁଣିଥରେ ଖେଳିବାକୁ ଏଯାବତ୍ ସୁଯୋଗ ମିଳିନାହିଁ । ୩୩ ବର୍ଷୀୟ ପୀୟୁଷ ଏବେ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି ।

 

ହରଭଜନ ସିଂ : ଟିମ୍ ଇଣ୍ଡିଆ ପାଇଁ ଦୀର୍ଘ ବର୍ଷ ଧରି ସ୍ପିନ ବିଭାଗର ମଙ୍ଗ ସମ୍ଭାଳିଥିବା ହରଭଜନ ସିଂ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ତେବେ ଅବସର ପୂର୍ବରୁ ହରଭଜନ ଉଭୟ ଟି-୨୦ ଓ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଛନ୍ତି । ଉଭୟ ବିଶ୍ୱକପରେ ହରଭଜନଙ୍କ ପ୍ରଦର୍ଶନ ବେଶ ପ୍ରଭାବୀ ରହିଥିଲା । ତେବେ କ୍ରିକେଟରୁ ଅବସର ପରେ ହରଭଜନଙ୍କୁ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିଛି । ଏହାବାଦ ଆପ୍ ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ହରଭଜନ ।

 

ଯୋଗିନ୍ଦର ଶର୍ମା : ୨୦୦୭ ଟି-୨୦ ବିଶ୍ୱକପର ସେହି ଶେଷ ଓଭର କିଏ ବା ଭୁଲିପାରିବ । ମିସବା ଉଲ ହକଙ୍କୁ ଶ୍ରୀସନ୍ଥଙ୍କ ହାତରେ କ୍ୟାଚ୍ କରାଇ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିୟନ କରିଥିଲେ ଯୋଗୀନ୍ଦର ଶର୍ମା । ତେବେ ଏହାପରେ ଯୋଗୀନ୍ଦରଙ୍କୁ ଭାରତୀୟ ଦଳରେ ସେଭଳି ସୁଯୋଗ ମିଳିନଥିଲା ।  ତେବେ କ୍ରିକେଟ ମୈଦାନରୁ ଅବସର ନେବା ପରେ ଯୋଗୀନ୍ଦର ନିଜର ଚାକିରି ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିଥିଲେ । ଏବେ ଯୋଗୀନ୍ଦର ହରିୟାଣା ପୋଲିସରେ ଡିସିପି ଭାବେ କାର୍ଯ୍ୟରତ ଅଛନ୍ତି ।

 

ଦିନେଶ କାର୍ତ୍ତିକ : ଧୋନୀଙ୍କ ପରେ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଫିନିସର ଭାବେ ଉଭା ହୋଇଛନ୍ତି ଦିନେଶ କାର୍ତ୍ତିକ । ଲମ୍ବା କ୍ରିକେଟ କ୍ୟାରିୟର ମଧ୍ୟରେ ଭାରତ ପାଇଁ ଖୁବ୍ କମ ମ୍ୟାଚ୍ ଖେଳିଛନ୍ତି କାର୍ତ୍ତିକ । ତେବେ ୧୫ ବର୍ଷ ପୂର୍ବେ ୨୦୦୭ ଟି-୨୦ ବିଶ୍ୱକପରେ ସ୍ଥାନ ପାଇଥିବା କାର୍ତ୍ତିକଙ୍କୁ ଚଳିତ ଟି-୨୦ ବିଶ୍ୱକପରେ ମଧ୍ୟ ପୁଣିଥରେ ସ୍ଥାନ ମିଳିଛି । ନିଜର ଦମଦାର ପ୍ରଦର୍ଶନ ବଳରେ ପୁଣିଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି କାର୍ତ୍ତିକ । କମବ୍ୟାକ ପୂର୍ବରୁ କାର୍ତ୍ତିକ କିଛି ଦିନ ପାଇଁ ଭାଷ୍ୟକାର ଭୂମିକା ତୁଲାଉଥିଲେ । ତେବେ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ଖେଳି ଦମଦାର ପ୍ରଦର୍ଶନ କରିବା ସହ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି କାର୍ତ୍ତିକ ।

 

ପଠାନ ବ୍ରଦର୍ସ : ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚରେ ବିଜୟୀ କରିଥିବା ପଠାନ ବ୍ରଦର୍ସ ୨୦୦୭ ଟି-୨୦ ବିଶ୍ୱକପ ଦଳର ମଧ୍ୟ ସଦସ୍ୟ ରହିଥିଲେ । ଟ-୨୦ ବିଶ୍ୱକପରେ ଉଭୟ ଖେଳିବାକୁ ମଧ୍ୟ ସୁଯୋଗ ପାଇଥିଲେ । ବଡଭାଇ ୟୁସୁଫ ପଠାନ ଫାଇନାଲ ମ୍ୟାଚ୍ ଖେଳିଥିବା ବେଳେ ସାନଭାଇ ଇରଫାନ ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ଭାରତକୁ ବିଶ୍ୱବିଜୟୀ କରିଥିଲେ । ଏବେ ଉଭୟ ପଠାନ ବ୍ରଦର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଇରଫାନଙ୍କୁ ଏବେ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳୁଛି । ଏହାଛଡା ପଠାନ ବ୍ରଦର୍ସ ଏବେ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଓ ଲିଜେଣ୍ଡସ ଲିଗ୍ ଖେଳୁଛନ୍ତି ।

 

ରୋହିତ ଶର୍ମା : ଚଳିତ ଟି-୨୦ ବିଶ୍ୱକପରେ ରୋହିତଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ୧୫ ବର୍ଷ ପୂର୍ବେ ୨୦୦୭  ଟି-୨୦ ବିଶ୍ୱକପରେ ଯୁବ ଖେଳାଳୀ ଭାବେ ଦଳରେ ସାମିଲ ହୋଇଥିଲେ ରୋହିତ । କିନ୍ତୁ ଏବେ ୩ଟି ଫର୍ମାଟରେ ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ରୋହିତ । ଏହାଛଡା ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ରୋହିତଙ୍କ ବ୍ୟାଟରୁ ବଡ ସ୍କୋର ଦେଖିବାକୁ ମିଳିଥିଲା । ତେଣୁ ୧୫ ବର୍ଷ ପରେ ପୁଣିଥରେ ଚଳିତ ଟି-୨୦ ବିଶ୍ୱକପରେ ରୋହିତଙ୍କ ବ୍ୟାଟରୁ ବଡ ସ୍କୋର ଆଶାରେ ରହିଛନ୍ତି ଭାରତୀୟ କ୍ରିକେଟ ପ୍ରଶଂସକ ।

 

ଆରପି ସିଂ : ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ଆରପି ସିଂଙ୍କ ପ୍ରଦର୍ଶନ ଭାରତକୁ ବିଶ୍ୱବିଜୟୀ କରିବାରେ ବଡ ଭୂମିକା ତୁଲାଇଥିଲା । ତେବେ ଏହାପରେ ଆରପି ସିଂ ବିଭିନ୍ନ ସମୟରେ ଆହତ କାରଣରୁ ଟିମରୁ ବାଦ ପଡିଛନ୍ତି । ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ଆରପି ସିଂ ଅବସର ନେବା ପରେ ଏବେ ଭାଷ୍ୟକାର ଭୂମିକା ତୁଲାଉଛନ୍ତି ।

 

ଏସ ଶ୍ରୀସନ୍ତ : ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ମିସବା ଉଲ ହକଙ୍କ କ୍ୟାଚ୍ ନେଇ ଶ୍ରୀସନ୍ଥ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରିଥିଲେ । ଆଉ ଏହି କ୍ଷଣକୁ ଭୁଲିବା ଏବେ ସହଜ ନୁହେଁ । ତେବେ ୨୦୧୩ରେ ଆଇପିଏଲରେ ଫିକ୍ସି ଅଭିଯୋଗରେ ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ବିସିସିଆଇ ପ୍ରତିବନ୍ଧକ ହଟାଇବା ପରେ ଘରୋଇ କ୍ରିକେଟକୁ କମବ୍ୟାକ୍ କରିଥିଲେ । କିନ୍ତୁ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିପାରିନଥିଲେ ଶ୍ରୀସନ୍ଥ । ଏହାପରେ ଚଳିତ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଶ୍ରୀସନ୍ଥ । ଏବେ ଲିଜେଣ୍ଡସ ଲିଗରେ ଖେଳୁଛନ୍ତି ଶ୍ରୀସନ୍ଥ ।

 

ରବିନ ଉଥପ୍ପା : ୨୦୦୭ ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ରବିନ ଉଥପ୍ପା ଗତ କିଛି ଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ୨୦୧୫ରେ ଉଥପ୍ପା ଶେଷ ଥର ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ । ତେବେ ଆଇପିଏଲରେ ଏବେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଛନ୍ତି ଉଥପ୍ପା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଭାଷ୍ୟକାର ଭୂମିକା ତୁଲାଉଛନ୍ତି ଉଥପ୍ପା ।