ମୃତ୍ୟୁ ପୂର୍ବର ୨୦ ସେକେଣ୍ଡ। ବିମାନ ଦୁର୍ଘଟଣାର ମର୍ମନ୍ତୁଦ କାହାଣୀ।

273

କନକ ବ୍ୟୁରୋ: ବିମାନ ତା ଗତିରେ ଉଡ଼ୁଥିଲା । ଯାତ୍ରୀଙ୍କ ମଧ୍ୟରେ ଖୁସି ଥିଲା । କିଏ କଥା ହେଉଥିଲା, ଆଉ କିଏ ଭିଡିଓ କରୁଥିଲା । ହେଲେ ମାତ୍ର କିଛି ମୂହୂର୍ତ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା । ଏ ସବୁ ଚିତ୍ର ଥିଲା ନେପାଳ ବିମାନ ଦୁର୍ଘଟଣାର ଶେଷ ଭିଡିଓରେ । ଜଣେ ଭାରତୀୟ ଯାତ୍ରୀ ଦୁର୍ଘଟଣାର ଠିକ୍ ପୂର୍ବରୁ ଏହି ଭିଡିଓ କରିଥିଲେ । ଉତ୍ତର ପ୍ରଦେଶର ସୋନୁ ଜୈସୱାଲ ନାମକ ଯୁବକ ତାଙ୍କର ଫେସବୁକର ଲାଇଭ କରୁଥିଲେ । ଲ୍ୟାଣ୍ଡିଂ କରିବା ସମୟରେ ଫେସବୁକରେ ମଧ୍ୟ ସେ ଲାଇଭ ଥିଲେ । ହେଲେ ଖୁସିର ମୁହୂର୍ତ କିଛି କ୍ଷଣ ମଧ୍ୟରେ ମୃତ୍ୟୁର ତାଣ୍ଡବରେ ବଦଳିଗଲା । ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ ଯେ ମାତ୍ର କେଇ ସେକେଣ୍ଡ ଭିତରେ କେମିତି ୭୨ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଉଛି । ଏହି ଭିଡିଓ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଦେଶର କିଛି ବଡ଼ ବଡ଼ ସାମ୍ବାଦିକ ଭିଡିଓକୁ ନେଇ ଟ୍ୱିଟ୍ କରିଛନ୍ତି ।

ବିମାନର ସହ ପାଇଲଟ ଥିଲେ ଅଂଜୁ ଖାଟିୱାଡା । ଦୁର୍ଘଟଣା ବେଳେ ସେ ବିମାନରେ ଥିଲେ । ଆଉ ଯଦି ଏହି ବିମାନ ଅବତରଣ ଠିକ୍ ଭାବେ ହୋଇଯାଇଥାନ୍ତା, ତାହେଲେ ଅଞ୍ଜୁ ପାଲଟି ଯାଇଥାନ୍ତେ ପ୍ରମୁଖ ପାଇଲଟ୍ । ହେଲେ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ବିମାନ ଦୁର୍ଘଟଣାରେ ଅଂଜୁ ଆରପାରିକୁ ଚାଲିଗଲେ । ଅଂଜୁଙ୍କ ସ୍ୱାମୀ ମଧ୍ୟ ସହପାଇଲଟ୍ ଥିବା ବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୦୬ ଜୁନ୍ ୨୧ରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣା ଘଟି ୬ ଜଣଙ୍କ ଜୀବନ ଯାଇଥିଲା, ଆଉ ଏହି ୬ ଜଣଙ୍କ ମଧ୍ୟରେ ଥିଲେ ଅଂଜୁଙ୍କ ସ୍ୱାମୀ । ବିଧିର ଏ ଅଜବ ବିଧାନ ।

ଦୁର୍ଘଟଣା ବେଳେ ବିମାନରେ ୭୨ ଜଣ ଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରାଯାଉଛି । ୬୮ଜଣଙ୍କର ମୃତଦେହ ଉଦ୍ଧାର କରାଯାଇସାରିଲାଣି । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିବା ବେଳେ ୪ ଜଣ ଉତ୍ତରପ୍ରଦେଶର ଗାଜୀପୁର ଜିଲ୍ଲାର । ମୃତକ ମାନେ ହେଲେ ସୋନୁ ଜୟସୱାଲ, ଅନିଲ ରାଜଭର, ଅଭିଷେକ କୁଶୱା ଏବଂ ବିଶାଲ ଶର୍ମା ।

ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ୁ ନଥିବା ବେଳେ ଉଦ୍ଧାରକାରୀ ଦଳଙ୍କ ହାତରେ ଲାଗିଛି ବିମାନର ବ୍ଲାକବକ୍ସ । ଏହାସହ ଫ୍ଲାଇଟ୍ ଡାଟା ରେକର୍ଡର ମଧ୍ୟ ଉଦ୍ଧାର ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ଘଟିଥିବା କୁହାଯାଉଥିଲା, ହେଲେ କ’ଣ ତ୍ରୁଟି ଘଟିଥିଲା, ବ୍ଲାକ ବକ୍ସ ତଥ୍ୟରୁ ସାମ୍ନାକୁ ଆସିବାର ସମ୍ଭାବନା ରହିଛି ।