ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୂରିବ ୨ ବର୍ଷ, ହେଲେ ଫାଇଲରେ ଚାପିହୋଇ ରହିଛି ସରକାରଙ୍କ ପ୍ରତିଶ୍ରୁତି !

33

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ୨ ବର୍ଷ ପୂରିବାକୁ ବସିଥିବାବେଳେ ବଦଳି ନାହିଁ ଗୁମୁଡୁମାହାର ଚିତ୍ର । ଏବେ ବି ପାଳନ ହୋଇନାହିଁ ସରକାର ଦେଇଥବା ପ୍ରତିଶ୍ରୁତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାର ଓ ଆହତ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷର ନିଆଁ । ୨୦୧୬ ଜୁଲାଇ ୮ ତାରିଖ ଦିନ ପୋଲିସ ଅତର୍କିତ ଗୁଳିଚାଳନାରେ ଜଣେ ୧୩ ମାସର ଶିଶୁ ଏବଂ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଲୋମହର୍ଷଣକାରୀ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ତେବେ ଏହି ଘଟଣାକୁ ନେଇ ଗୁମୁଡୁମାହାର ଚିତ୍ର ବଦଳାଇବା ପାଇଁ ସରକାର ଦେଇଥିଲେ ଅନେକ ପ୍ରତିଶ୍ରୁତି । କିନ୍ତୁ ଯେଉଁଥି ପାଇଁ ଦୁଇ ବର୍ଷ ତଳେ ଗୁମୁଡୁମାହାରେ ବଳି ପଡିଗଲା ଅନେକ ଲୋକଙ୍କ ଜୀବନ, ସେହି ସ୍ୱପ୍ନ ଏବେ ଅଧୁରା ହୋଇ ରହିଛି ବୋଲି ଗ୍ରାମବାସୀଙ୍କ ଅଭିଯୋଗ ।

ରାଜ୍ୟ ସରକାର ଦୁଇ ବର୍ଷ ତଳେ ଦେଇଥିବା ସମସ୍ତ ପ୍ରତିଶ୍ରୁତି କେବଳ ତାଙ୍କ ଫାଇଲ ଭିତରେ ରଖିଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୃର୍ତ୍ତମଗଡ ଠାରୁ ଗୁମୁଡୁମାହା ପାଖାପାଖି ୧୧ କିଲୋମିଟର ରାସ୍ତା ଏବେ ବି ଅଧପନ୍ତରିଆ ହୋଇ ପଡିଛି ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁରେ ବିଜୁଳି ଖୁଣ୍ଟ ପଡିଲା କିନ୍ତୁ ବିଦ୍ୟୁତ ସରବରାହ ଉପଯୁକ୍ତ ପରିମାଣରେ ନଥିବାରୁ ପିଲାମାନଙ୍କ ପାଠ ପଢ଼ା ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ହୋଇଛି । ଗୁଳିକାଣ୍ଡରେ ମୃତ ପରିବାର ଏବଂ ଅକର୍ମଣ୍ୟ ହୋଇଯାଇଥିବା ପରିବାରଙ୍କୁ ନିଯୁକ୍ତି ପାଇଁ ମଧ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କହିଛନ୍ତି ପୀଡିତଙ୍କ ପରିବାର ।

ଏସଆଇଟି ତଦନ୍ତ କେବଳ ପ୍ରହଶନ । ତଦନ୍ତ କମିଶନଙ୍କ ରିପୋର୍ଟ ତୁରନ୍ତ ସାର୍ବଜନୀନ କରିବା ପାଇଁ ଗୁମୁଡୁମାହା ଗୁଳିକାଣ୍ଡ ସମିତିର ସଂଯୋଜକ ନେତ୍ର ମାନସେଠ୍ ଦାବି କରିଛନ୍ତି । ଏହାସହ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ ଏଭଳି ଗଣହତ୍ୟା କରିଥିବା ହତ୍ୟାକରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଦାବି କରିଛନ୍ତି ।