ପ୍ରକାଶ ପାଇଲା ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ବିଜ୍ଞାନରେ ପାସହାର ୯୫.୧୫%, ବାଣିଜ୍ୟରେ ପାସହାର ୯୪.୯୬ % ।

206

କନକ ବ୍ୟୁରୋ: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ବୋର୍ଡ ଅଫିସରେ ଉପସ୍ଥିତ ରହି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ନେଇ ଘୋଷଣା କରିଛନ୍ତି । ତେବେ ଚଳିତ ବର୍ଷ ବିଜ୍ଞାନରେ ୯୫.୧୫ ପ୍ରତିଶତ ପାସହାର ଥିବାବେଳେ ବାଣିଜ୍ୟରେ ପାସହାର ୯୪.୯୬ ରହିଛି ।

ଚଳିତ ବର୍ଷ ବିଜ୍ଞାନରେ ମୋଟ ୯୪,୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮୯, ୯୫୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସହାର ୯୫.୧୫ ପ୍ରତିଶତ ରହିଛି । ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦,୧୯୮ ଜଣ ଛାତ୍ର ପାସ କରିଥିବାବେଳେ ୩୯,୭୫୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମୋଟ ୫୫,୪୬୮ ଜଣ ଛାତ୍ରଛାତ୍ରୀ ଫାଷ୍ଟ ଡିଭିଜନ ପାଇଥିବାବେଳେ ୧୬,୯୪୩ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଡିଭିଜନରେ ପାସ କରିଛନ୍ତି । ସେହିପରି ୧୪,୬୩୧ ଜଣ ଛାତ୍ରଛାତ୍ରୀ ତୃତୀୟ ଡିଭିଜନ ପାଇଛନ୍ତି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୨୭୮ ଜଣ ପିଲା ପାସ୍ କରିଛନ୍ତି ।

ସେହିପରି ବାଣିଜ୍ୟରେ ୨୪,୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେ ମଧ୍ୟରୁ ୨୩, ୨୯୨ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଚଳିତ ବର୍ଷ ବାଣିଜ୍ୟରେ ପାସହାର ୯୪.୯୬ ପ୍ରତିଶତ ରହିଛି । ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ମୁତାବକ, ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪,୭୫୭ ଜଣ ଛାତ୍ର ପାସ କରିଥିବାବେଳେ ୮୫୩୫ ଜଣ ଛାତ୍ରୀ ବାଣିଜ୍ୟରେ ପାସ କରିଛନ୍ତି । ପାଷ୍ଟ ଡିଭିଜନରେ ୮୩୫୫ ଜଣ ପିଲା ପାସ କରିଥିବାବେଳେ, ଦ୍ୱିତୀୟ ଡିଭିଜନରେ ୫୬୯୨ ଏବଂ ତୃତୀୟ ଡିଭିଜନରେ ୯୦୬୬ ଜଣ ପିଲା ପାସ କରିଛନ୍ତି ।

ତେବେ ଖୁବଶୀଘ୍ର କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ । ତା ସହିତ ବିଜ୍ଞାନ ଓ ବାଣିଜ୍ୟର ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ପୁଣି ପରୀକ୍ଷା ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।