ପୁଣି ପୁଅଙ୍କୁ ପଛରେ ପକାଇ ଆଗରେ ରହିଲେ ଝିଅ: କଳା, ବାଣିଜ୍ୟ ଓ ଧନ୍ଦାମୂଳକରେ ଝିଅଙ୍କ ପାସ୍ ହାର ଅଧିକ

229

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ଚଳିତ ବର୍ଷ କଳାରେ ୬୫. ୮୯ ପ୍ରତିଶତ, ବାଣିଜ୍ୟରେ ୭୦. ୨୬ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୨ ପ୍ରତିଶତ ପିଲା ପାସ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର କମିିଥିବା ବେଳେ ଏଥର ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ ।

କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପୁଅଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ଝିଅ । କଳାରେ ୨ ଲକ୍ଷ ୩୧ ହଜାର ୧୫୦ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପିଲା ପାସ୍ କରିଛନ୍ତି । ଆଉ ସେଥି ମଧ୍ୟରୁ ୯୪, ୮୮୧ ଜଣ ଝିଅ ପାସ୍ କରିଥିବା ବେଳେ ୫୭, ୪୪୨ ଜଣ ପୁଅ ପାସ୍ କରିଛନ୍ତି । ପ୍ରତିଶତ ହିସାବରେ ଯଦି ଦେଖାଯାଏ ତେବେ ଝିଅ ୭୩. ୯୯ ପ୍ରତିଶତ ଓ ପୁଅ ୫୫. ୮୦ ପ୍ରତିଶତ ପାସ୍ । ୨୦୧୮ରେ ମଧ୍ୟ ପୁଅଙ୍କୁ ପଛରେ ପକାଇଥିଲେ ଝିଅ ।

ସେହିପରି ବାଣିଜ୍ୟରେ ମଧ୍ୟ ମୋଟ ୨୬, ୭୯୪ ପିଲା ପରୀକ୍ଷା ଦେଇଥିବା ବେଳେ ୧୮, ୮୨୭ ଜଣ ପାସ୍ କରିଛନ୍ତି । ସେଥିମଧ୍ୟରୁ ଝିଅ ୭୦୮୮ (୭୪.୫୨%) ଜଣ ଓ ପୁଅ ୧୧, ୭୩୮ (୬୭.୯୧ %) ପାସ୍ କରିଛନ୍ତି ।

ଧନ୍ଦାମୂଳକ ପରୀକ୍ଷାରେ ମଧ୍ୟ ପୁଅଙ୍କୁ ପଛରେ ପକାଇ ଆଗକୁ ମାଡିଲେ ଝିଅ । ପୁଅ ୧, ୯୮୨ ଜଣ ପାସ୍ କରିଥିବା ବେଳେ ଝିଅ ୨, ୧୪୪ ଜଣ ପାସ୍ କରି ପୁଅକୁ ପାଣି ପିଆଇ ଦେଇଛନ୍ତି । ତେବେ କଣ ପାଇଁ ପାସ୍ ହାର କମୁଛି ଆଉ ପୁଅଙ୍କ ପାସ୍ ହାର କଲେଜ ସ୍ତରରେ କଣ ପାଇଁ ନୈରାଶ୍ୟ ଜନକ ହେଉଛି ତାହା ଏହା ଆଲୋଚନାର ବିଷୟ ।