ବ୍ରିଟିଶ ଏୟାରୱେଜର ଅମାନବୀୟ ଚେହେରା ! ୩ ବର୍ଷର ଛୁଆ କାନ୍ଦିଲା ବୋଲି, ୨ ଭାରତୀୟ ପରିବାରକୁ ବିମାନରୁ ଓହ୍ଲାଇଦେଲେ । ବିମାନରୁ ଫିଙ୍ଗିଦେବାକୁ ଦେଲେ ଧମକ

29

କନକ ବ୍ୟୁରୋ : ଛୁଆ କାନ୍ଦିଲା ବୋଲି ବିମାନରୁ ଓହ୍ଲାଇ ଦେଲେ ବିମାନ କର୍ମଚାରୀ । ଏମିତିକି ଛୋଟ ଛୁଆଟି କାନ୍ଦିବା ବନ୍ଦ ନକଲେ ବିମାନରୁ ଧକ୍କା ଦେଇ ବାହାର କରିଦେବେ ବୋଲି ଧମକ ଦେଇଥିଲେ । ଏଭଳି ଏକ ଅମାନବୀୟ ଆଚରଣର ଶିକାର ହୋଇଛନ୍ତି ଜଣେ ଭାରତୀୟ । ତାହା ପୁଣି ଇଂଲଣ୍ଡରେ । ଛୋଟ ଛୁଆ କାନ୍ଦିବା ଏକ ସ୍ୱାଭାବିକ କଥା । ହେଲେ ଏହି ଛୋଟିଆ ଘଟଣାକୁ କେନ୍ଦ୍ରକରି ଜଣେ ଭାରତୀୟ ପ୍ରଶାସକଙ୍କୁ ଅପମାନିତ ହେବାକୁ ପଡିଛି ।

ଜୁଲାଇ ୨୩ ତାରିଖ । ପରିବାର ନେଇ ବିମାନରେ ଯାତ୍ରା କରୁଥିଲେ ଏ.ପି ପାଠକ୍ । ସାଥୀରେ ଥିଲେ ପତ୍ନୀ ଏବଂ ୩ବର୍ଷର ଶିଶୁ । ଗନ୍ତବ୍ୟ ଥିଲା ବର୍ଲିନରୁ ଲଣ୍ଡନ୍ । ବିଟ୍ରିଶ୍ ଏୟାର ୱେଜରେ ଯାତ୍ରା କରୁଥିଲେ ଏହି ଛୋଟିଆ ପରିବାର । ହେଲେ କୌଣସି କାରଣରୁ ବିମାନ ଭିତରେ କାନ୍ଦିବା ଆରମ୍ଭ କରି ଦେଇଥିଲେ ଏହି କୁନି ପିଲା ।ଆଉ ଏତିକିରେ ଅସହିଷ୍ଣୁ ହୋଇ ଉଠିଲେ ବିମାନ କର୍ମଚାରୀ । ଦେହରେ ଗଲାନି କୁନି ପିଲାର କାନ୍ଦ ।

ଏହି ଦମ୍ପତିଙ୍କ ପାଖରେ ପହଂଚିଥିଲେ ବ୍ରିଟିଶ୍ ଏୟାରୱେଜର କର୍ମଚାରୀ । ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ସହ କୁନି ପିଲାଟିକୁ ଚୁପ୍ କରିବାକୁ ଚେତାବନୀ ଦେଇଥିଲେ । ହେଲେ କୁନି ପିଲାଟି କ’ଣ ବା ଜାଣିଛି । ପିଲାଟି କାନ୍ଦିବା ବନ୍ଦ ନହେବାରୁ ଦିଆଗଲା ଧମକ୍୍ । କର୍ମଚାରୀ କହିଲେ- ଆପଣ ଚୁପ୍ ରୁହନ୍ତୁ । ପିଲାଟିକୁ ଚୁପ୍ କରାନ୍ତୁ । ନହେଲେ ଝରକା ଦେଇ ଫିଙ୍ଗି ଦିଆଯିବ ।
ବ୍ରିଟିଶ ଏୟାରୱେଜ୍ କର୍ମଚାରୀ ସତକୁ ସତକୁ ଉଣାଅଧିକେ ସେଇଆ ହିଁ କଲେ । କୁନି ପିଲାଟି ସହ ଏହି ଦମ୍ପତିକୁ ବିମାନରୁ ଓହ୍ଲାଇ ଦେଲେ ।
-କେବଳ ଏତିକିରେ ବିମାନ କର୍ମଚାରୀଙ୍କ ଯାତନା ସରିନଥିଲା
-ଆଉ ଜଣେ ଭାରତୀୟ ଦମ୍ପତିଙ୍କୁ ମଧ୍ୟ ବିମାନରୁ ଓହ୍ଲାଇ ଦେଇଥିଲେ
-ଏହା ପଛର କାରଣ ଥିଲା, ଏହି ଭାରତୀୟ ଦମ୍ପତି ପିଲାକୁ ଖାଇବାକୁ ବିସ୍କୁଟ୍ ଦେଇଥିଲେ
-ଚୁପ୍ ହେବା ପାଇଁ ପାଠକ୍ ପରିବାରକୁ ସହଯୋଗ କରିଥିଲେ ।

ଘଟଣା ନେଇ ଏହି ପରିବାର, ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ସୁରେଶ ପ୍ରଭୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।