ଆଜିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ : ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନର ବନ୍ଦ ଡାକରା

ସମର୍ଥନ କଲେ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ

391

କନକ ବ୍ୟୁରୋ : ଆଜିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ । ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ ବନ୍ଦ ଡାକରା ଦେଇଛି । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଶନିବାର ଠାରୁ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି ।

ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ୱାଭାବିକ ହେବ । ଏହି ଅବସରରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହେବ । ଅନଲାଇନ ଓ ଡିଜିଟାଲ ବ୍ୟାଙ୍କିଙ୍ଗରେ ସେଭଳି ଅସୁବିଧା ହୋଇନପାରେ । ଏଟିଏମ୍ ରୁ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହେବାର କମ୍ ଆଶଙ୍କା ରହିଛି । ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ ।

ସେହିଭଳି ଓଡ଼ିଶାରେ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିବ । ଓଡ଼ିଶାରେ ୩୦ ହଜାରରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବେ । ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକ ଧର୍ମଘଟରେ ସାମିଲ ହେବେ ବୋଲି ଏଆଇବିଓସି ସଭାପତି, ଓଡ଼ିଶା ଦାମୋଦର ନନ୍ଦ କହିଛନ୍ତି । ବ୍ୟାଙ୍କ ଶାଖା ଗୁଡ଼ିକ ସାମ୍ନାରେ ପିକେଟିଂ କରାଯିବ ବୋଲି ୟୁବିଏଫ୍‌ୟୁ ଓଡ଼ିଶା ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି।

କେନ୍ଦ୍ର ସରକାର ଗତ ୪ ବର୍ଷ ମଧ୍ୟରେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିବା ସହିତ ଆଇଡିବିଆଇ ବ୍ୟାଙ୍କର ସଂଖ୍ୟାଗରିଷ୍ଠ ଅଂଶଧନକୁ ଏଲ୍‌ଆଇସିକୁ ୨୦୧୯ ମସିହାରେ ବିକ୍ରି କରିଛନ୍ତି । ତେବେ ଘରୋଇକରଣକୁ ବ୍ୟାଙ୍କ ସଂଘଗୁଡ଼ିକ ତୀବ୍ର ବିରୋଧ କରିଆସୁଛନ୍ତି । ମୁଖ୍ୟ ଶ୍ରମ କମିସନରଙ୍କ ସହିତ ସଂଘଗୁଡ଼ିକ ଚଳିତମାସ ୪ ତାରିଖ, ୯ ତାରିଖ ଏବଂ ୧୦ ତାରିଖରେ ତିନିଟି ପର୍ଯ୍ୟାୟ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ ।