ଆକାଶ ବିକାଶଙ୍କ ଠେଲାଗାଡ଼ି, ଅଭାବ ଭିତରେ ଯାଉଛି ଗଡ଼ି । ବାପା ଆଖିବୁଜିବାର ୪ ବର୍ଷ ପରେ ମାଡ଼ି ବସିଛି ଅଭାବ-ଅନଟନ ।

104
କନକ ବ୍ୟୁରୋ: ଆପଣ ଦେଖୁଥିବା ଠେଲାଗାଡ଼ିକୁ ଯିଏ ଠେଲି ଠେଲି ନେଉଛନ୍ତି ସେମାନେ ହେଉଛନ୍ତି ଦୁଇ ଭାଇ । ଜଣେ ବିକାଶ ହେଲେ ଆଉ ଜଣେ ଆକାଶ, ଆଉ ଏବେ ତାଙ୍କର ସ୍କୁଲ ଯିବା ବୟସ କିନ୍ତୁ ବିଧାତା ତାଙ୍କୁ ବାଟରେ ଆଣି ଛିଡ଼ା କରିଛି । ପରିବାରର ବୋଝ ଆଉ ପେଟର ଭୋକ ଏତେ ଅକଥନୀୟ ଯେ, ଦୁଇ ଭାଇ ଗାଁ ଦାଣ୍ଡରୁ ଗଳିକନ୍ଦି ଠେଲାଗାଡ଼ି ନେଇ ନବୁଲିଲେ ପରିବାର ପେଟରେ ମୁଠେ ଦାନା ପଡ଼ିବା ବି ମୁସକିଲ୍ । ନାଁ ବିକାଶ ଆଉ ଆକାଶ କିନ୍ତୁ ଏମାନଙ୍କ ଜୀବନ ପଛର ଯନ୍ତ୍ରଣା ଏମିତି ଯାହା ଆପଣ ବି ଜାଣିଲେ ଆଖି ଓଦା ଓଦା ହୋଇଯିବ ।
ଜୀବନ ପାଇଁ ଜଳଖିଆ ବିକୁଥିବା ଗଞ୍ଜାମ ଉସ୍ତାପଡ଼ା ପଞ୍ଚାୟତ କେ,ରାଣୀପଡ଼ାର ଏହି ଦୁଇ ଭାଇଙ୍କ ଜୀବନରେ ୨୦୧୭ରେ ମାଡ଼ି ଆସିଥିଲା ଅନ୍ଧାର । ଯେତେବେଳେ ବାପା ମୀନକେତନ ଗୁଜୁରାଟରେ କାମ କରୁଥିବା ସମୟରେ ସେପାରିକୁ ଚାଲିଗଲେ ସେବେଠୁ ବିକାଶ-ଆକାଶଙ୍କ କାନ୍ଧରେ ‘ବିଧାତା’ ଲଦିଦେଲା ପରିବାରର ବୋଝ । ହାତରେ ବହି ବଦଳରେ ବରା, ସିଙ୍ଗଡ଼ା ଏବେ ତାଙ୍କ ପାଇଁ ପାଲଟିଛି ବଞ୍ଚିବାର ଏକମାତ୍ର ବାଟ । ସକାଳୁ ଜଳଖିଆ ପ୍ରସ୍ତୁତ କରି ଦୁଇ ପୁଅଙ୍କୁ ଏହି ଠେଲାଗାଡ଼ିରେ ବିକିବାକୁ ପଠାଇଦିଅନ୍ତି ମା’ । ଆଉ ଦୁଇ ଭାଇ ବି କହୁନ୍ତି ଆମେ ଯଦି ୟାକୁ ନବିକିବୁ ଆମେ ବଞ୍ଚିବୁ କେମିତି?
ବିକାଶ-ଆକାଶଙ୍କ ଜୀବନରେ କେବଳ ଭୋକ ନୁହେଁ ମୁଣ୍ଡ ଗୁଞ୍ଜିବାକୁ ଏକ ଭରସା ଯୋଗ୍ୟ ଛାତ ଟିଏ ବି ନାହିଁ । ଦଦରା କାନ୍ଥକୁ କଣାଫଟା ଟିଣ ଛପର ଦେଇ ପଡୁଥିବା ସୂର୍ଯ୍ୟ କିରଣ ହିଁ ବୟାନ କରୁଛି ଏମାନଙ୍କ ଅସହାୟତାର ଦାରୁଣ ଦୁଃଖ । ପରିବାରର ୫ ପ୍ରାଣୀ ପେଟ ସିନା ଦୁଃଖ କଷ୍ଟରେ ପୂରି ଯାଉଛି, ହେଲେ ଶାନ୍ତିର ନିଦରେ ଶୁଆଇ ଦେଉନି ସରକାରଙ୍କ ବଡ଼ ବଡ଼ ଯୋଜନା । ବୋଧ ହୁଏ ଦୁଇ ପୁଅଙ୍କ ନାଁ ବିକାଶ-ଆକାଶ ବୋଲି ସରକାରଙ୍କ ‘ବିକାଶ’ ବାଟରେ ଏମାନଙ୍କ ବିକାଶ ବାଟବଣା ହୋଇଯାଇଛି । ଘର ଖଣ୍ଡିଏ ପାଇଁ ଯେତେ ନେହୁରା ହେଲେ ବି କେହି ଶୁଣୁ ନାହାନ୍ତି ବୋଲି ଅସହାୟ ମହିଳା ଜଣକ ବଖାଣିଛନ୍ତି ।
ତେବେ ରାସନ କାର୍ଡରେ ଚାଉଳ ଆଉ ୫ଶହ ଭତ୍ତା ଟଙ୍କାରେ କ’ଣ ୫ ପ୍ରାଣୀଙ୍କ ପେଟ ପୂରିବା ସମ୍ଭବ କି? ଘରେ ଦୁଇ ଝିଅ ଓ ଦୁଇ ପୁଅକୁ ନେଇ କୁନିଙ୍କ ପରିବାର ହୋଇଥିବା ବେଳେ ପରିବାର ପାଇଁ ଦାନା ଯୋଗାଡ କରୁଛନ୍ତି ଏ ଯୁଗର ଜଗାବଳିଆ । ସରକାର ନ ଶୁଣନ୍ତୁ, ନେତା ସ୍ଥାନୀୟ ପ୍ରତିନିଧି କିମ୍ବା ପ୍ରଶାସନର ପୁଳେ ପୁଳେ ପ୍ରତିଶ୍ରୁତିକୁ ଅପେକ୍ଷା ନକରି ନିଜ କାନ୍ଧରେ ନେଇଛନ୍ତି ପରିବାର ବୋଝ । ତେଣୁ ଏମାନଙ୍କୁ ଯଦି ସରକାରୀ ସହାୟତା ମିଳେ ତେବେ ବାପ ଛେଉଣ୍ଡ ପିଲାମାନେ ଭଲରେ ପାଠ ପଢ଼ିବା ସହ ଶାନ୍ତିରେ ଟିକେ ବଞ୍ଚି ପାରନ୍ତେ ବୋଲି କହିଛନ୍ତି ଗ୍ରାମବାସୀ ।  ଏମିତି ଖବର ପ୍ରତିଦିନ କେଉଁଠୁ ନାଁ କେଉଁଠୁ ଆସୁଛି । ଆଉ ସରକାର ଗରିବ ଲୋକଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ବିକାଶ-ଆକାଶଙ୍କ ଅସାହାୟଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚି ନପାରିବା ଏବେ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।