ଆସିଲା କରୋନା ମହାମାରୀ ପାଇଁ ମହୋଷଧୀ । ଭୁବନେଶ୍ୱରରେ ପହଞ୍ଚିଲା ଭ୍ୟାକ୍ସିନ, ୧୬ ତାରିଖରେ ହେବ ଟିକାକରଣ ।

190

କନକ ବ୍ୟୁରୋ : ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆଜି ସାରା ଦେଶକୁ କରୋନା ଟିକା ‘କୋଭିସିଲ୍ଡ’ ବିତରଣ କରାଯାଇଛି । ଟିକସକୁ ଛାଡି ୨୦୦ ଟଙ୍କା ପ୍ରତି ଡୋଜ ଦରରେ ୧ କୋଟି ୧୦ ଲକ୍ଷ ଟିକା କିଣିଛନ୍ତି ଭାରତ ସରକାର । ସିରମ୍ ଇନଷ୍ଟିଚ୍ୟୁଟରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ବିମାନ ବନ୍ଦରକୁ ଟିକା ପଠାଯାଇଥିଲା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ, କୋଲ୍ଡ ଚେନକୁ ମେନଟେନ୍ କରି ବିମାନରେ ଭାରତର ବିଭିନ୍ନ ସହରକୁ ଟିକା ବିତରଣ କରାଯାଇଛି । ଏହି କ୍ରମରେ ଓଡିଶାରେ ମଧ୍ୟ ୪୦ ହଜାର ୮ଶହ ଭାୟାଲ୍ ଟିକା ଅର୍ଥାତ୍ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ପହଂଚିଛି । ବିମାନ ବନ୍ଦରରୁ ପୂର୍ବ ପ୍ରସ୍ତୁତି ଅନୁସାରେ ତାପମାତ୍ରା ନିୟନ୍ତ୍ରକ ଭ୍ୟାନରେ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଛି ।

ପ୍ରାୟ ୧୦ ମାସ ଧରି ପୂରା ଦେଶକୁ ସ୍ଥାଣୁ କରି ଦେଇଥିବା କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ପହଞ୍ଚିଛି ମହୋଷଧୀ । ଯେଉଁ ମୁହୂର୍ତକୁ ସମସ୍ତଙ୍କର ଅପେକ୍ଷା ରହିଥିଲା, ଶେଷରେ ସେହି ପ୍ରତୀକ୍ଷିତ ମୁହୂର୍ତ ଆସିଯାଇଛି । ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା କୋଭିସିଲ୍ଡ । ଟଙ୍କା ଗାଡ଼ି ଭଳି ସଂପୂର୍ଣ୍ଣ ସୁରକ୍ଷା ବଳୟରେ ୩୪ ପ୍ୟାକେଟରେ ଅଣାଯାଇଛି ୪୦ ହଜାର ୮ଶହ ଭାଏଲ୍ ବା ଶିଶି, କରୋନା ଟିକା । ଷ୍ଟେଟ୍ ଭ୍ୟାକସିନ୍ ସେଂଟରରେ ଏହାକୁ ରଖାଯାଇଛି । ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲାକୁ ଟିକା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

କୋଭିସିଲ୍ଡର ଏହି ଭାଏଲ ବା ଶିଶିରେ ରହିଛି ୧୦ ଡୋଜ୍ ଟିକା । ୨୮ ଦିନ ଅନ୍ତରରେ ଜଣଙ୍କୁ ଦୁଇ ଡୋଜ୍ ଟିକା ଦିଆଯିବ । ଅର୍ଥାତ୍ ଏହି ଛୋଟ ଶିଶିରେ ରହିଛି ୫ ଜଣଙ୍କ ପାଇଁ କରୋନାରୁ ମୁକ୍ତି ପାଇବାର ବାଟ ।

ରାଜ୍ୟରେ କୋଭିଡ୍ ଟିକାକରଣ :
ପ୍ରଥମ ଦଫାରେ ୪୦ ହଜାର ୮ଶହ ଭାଏଲ୍ ଓଡ଼ିଶା ଆସିଛି
ଯେତିକି ଟିକା ଆସିଛି, ସେଥିରେ ଜଣଙ୍କୁ ଦୁଇ ଡୋଜ୍ ହିସାବରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଟିକାକରଣ କରାଯିବ
ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୬ ତାରିଖରେ ଆରମ୍ଭ ହେବ
ରାଜ୍ୟରେ ୧୬୦ ଟିକାକେନ୍ଦ୍ରରେ ହେବ ଟିକାକରଣ
ପ୍ରତି କେନ୍ଦ୍ରରେ ଦିନକୁ ୧୦୦ ଜଣଙ୍କୁ ଟିକା ଦିଆଯିବ
ଅର୍ଥାତ୍ ଦିନକୁ ରାଜ୍ୟରେ ୧୬ ହଜାର ଟିକାକରଣ କରାଯିବ

ଦିଲ୍ଲୀ, କୋଲକାତା, ହ୍ରାଇଦ୍ରାବାଦ, ଭୁବନେଶ୍ୱର ସମତେ ଦେଶର ୧୩ଟି ରାଜ୍ୟର ଷ୍ଟେଟ୍ ଭ୍ୟାକ୍ସିନ୍ ସେଂଟରକୁ ଆଜି କରୋନା ଟିକା ପଠାଇଛି ସିରମ୍ ଇନଷ୍ଟିଚ୍ୟୁଟ । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାକୁ ଭାରତରେ କୋଭିସିଲ୍ଡ ନାଁରେ ତିଆରି କରିଛି ବିଶ୍ୱର ସବୁଠୁ ବଡ଼ ଟିକା ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟ୍ । ଏହି ଟିକା ୭୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ହେବ ବୋଲି ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି ।

ସିରମ୍ ଇନଷ୍ଟିଚ୍ୟୁଟରୁ ପ୍ରଥମ ପର୍ଯ୍ୟାୟ ଟିକା ବାହାରିବା ପରେ ଟ୍ୱିଟ୍ କରି ଏହାର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି, ଏହା ଏକ ଭାବପ୍ରବଣତାର ସମୟ । ଟିକା ଲୋଡ୍ ହୋଇଥିବା ଟ୍ରକରେ ବସି ଫଟୋ ଉଠାଇବା ସହ ସିରମର ସମସ୍ତ କର୍ମଚାରୀଙ୍କ ଫଟୋ ବି ଟ୍ୱିଟ୍ କରିଛନ୍ତି ।