ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମସ୍ତେ ପାସ୍‌ ପ୍ରସଙ୍ଗ : ଅନ‌ଲାଇନ‌ରେ ପରୀକ୍ଷା ଦେବେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ !

485

କନକ ବ୍ୟୁରୋ : ଘରୋଇ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯାଇପାରିବ। ଏନେଇ କୌଣସି ଦ୍ବନ୍ଦ୍ବ ନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍‌ ବ୍ୟବସ୍ଥା କେବଳ ସରକାରୀ ସ୍କୁଲ କ୍ଷେତ୍ରରେ ଲାଗୁ ହେବ । କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଉକ୍ତ ୮ଟି ‌ଶ୍ରେଣୀର ଛାତ୍ରଛାତ୍ରୀଙ୍କ କ୍ଲାସ ହୋଇପାରିନାହିଁ । ବହୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ କ୍ଲାସ୍‌ ପ୍ରମୋସନ୍‌ ପରୀକ୍ଷା ନ କରି ସମସ୍ତ ପରବର୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପାସ୍‌ ହେବା ନେଇ ତିନି ଦିନ ତଳେ ମନ୍ତ୍ରୀ ଶ୍ରୀ ଦାଶ ଘୋଷଣା କରିଥିଲେ । ଯାହାକୁ ନେଇ କେତେକ ଘରୋଇ ବିଦ୍ୟାଳୟ ଦ୍ବନ୍ଦ୍ବରେ ପଡ଼ିଥିଲେ । କାରଣ କରୋନା କାଳରେ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଇଛନ୍ତି । ଶତ ପ୍ରତିଶନ ନ ହେଲେ ମଧ୍ୟ ଘରୋଇ ବିଦ୍ୟାଳୟର ୭୦ରୁ ୮୦% ପିଲା ଅନ୍‌ଲାଇନ୍‌ରେ ଶିକ୍ଷା ପାଇଛନ୍ତି ।

ଶିକ୍ଷକ,ଶିକ୍ଷୟିତ୍ରୀ ବି ପିଲାଙ୍କ ଦ୍ବନ୍ଦ୍ବ ଦୂର କରିଛନ୍ତି। ସିଲାବସ୍‌ ସମ୍ପୂର୍ଣ୍ଣ ପଢ଼ା ଯାଇଛି । ଏତେ ସବୁ ପରେ ସେମାନେ କାହିଁକି ପିଲାଙ୍କ ପରୀକ୍ଷା କରାଇବେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ କେତେକ ଘରୋଇ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ କରି ସାରିଲେଣି । ଆଉ କେତେକ ବିଦ୍ୟାଳୟ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ କରି ସାରିଛନ୍ତି । କେଉଁଦିନ କେଉଁ ବିଷୟର ପରୀକ୍ଷା କରାଯିବ, ସେନେଇ ବି ସ୍ପଷ୍ଟ କରାଯାଇଛି । ଏହା ଭିତରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ଘୋଷଣା ପରେ ପରୀକ୍ଷା ହେବନି ବୋଲି ଛାତ୍ରଛାତ୍ରୀ ଭାବି ନେଇଥିବା ବେଳେ ପରୀକ୍ଷା କରିବାକୁ କେତେଜଣ ଅଭିଭାବକ ସ୍କୁଲ କର୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ତେବେ ଗଣଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କିଛି ବିଜ୍ଞପ୍ତି ଜାରି ହୋଇ ନ ଥିବାରୁ ଉଭୟ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ କର୍ତୃପକ୍ଷ ଏବେ ବି ଦ୍ବନ୍ଦ୍ବରେ ରହିଛନ୍ତି ।

ଘରୋଇ ବିଦ୍ୟାଳୟ କର୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇନାହିଁ । ତେଣୁ ରାଜ୍ୟ ସରକାର ସେଠାକାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରିପାରିବେ । ତା’ ମାନେ ନୁହେଁ ଯେ ଘରୋଇ ବିଦ୍ୟାଳୟଗୁଡ଼ିକରେ ଏହା କାର୍ଯ୍ୟକାରୀ ହେବ । କାରଣ କରୋନା ଭିତରେ ବି ପିଲାମାନଙ୍କୁ ଅନ‌ଲାଇନ‌ରେ ଶିକ୍ଷା ଦିଆଯାଇଛି । ଦିନରାତି ଏକ କରି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପଢ଼ାଇଛନ୍ତି । ଏ ବାବଦରେ ଛାତ୍ରଛାତ୍ରୀଙ୍କଠାରୁ ଫି’ ବି ନିଆଯାଇଛି । ତେଣୁ ପିଲାମାନଙ୍କ ଦକ୍ଷତା ମାପିବାର ଆବଶ୍ୟକତା ରହିଛି । ସେମାନେ କେତେ ଶିକ୍ଷା ଲାଭ କଲେ, ତାହା ବି ଜାଣିବା ଲାଗି ପରୀକ୍ଷା କରିବାକୁ ଅନୁମତି ଦିଆଯାଉ। ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ହେଉ।