ବରଫ ବଳୟରେ ବମ୍ ଭୋଲେ । ମାଇନସ୍ ଡିଗ୍ରୀରେ ମହାଦେବ । ବରଫ ଚାଦର ତଳେ ଏବେ ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିର

ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନର ବରଫ ହଟାଇବା ଜାରି

151

କନକ ବ୍ୟୁରୋ: ବରଫ ବଳୟରେ ବମ୍ ଭୋଲେ  । ମାଇନସ୍ ଡିଗ୍ରୀରେ ମହାଦେବ  । ବରଫ ଚାଦର ତଳେ ଏବେ କେଦାରନାଥ ମନ୍ଦିର  । କମ ତାପମାତ୍ରା ରହିବା କାରଣରୁ କେଦାରନାଥ ମନ୍ଦିର ସମେତ ଆଖପାଖ ପାହାଡ଼ି ଇଲାକା ବରଫାବୃତ ହୋଇଛି  । ସେପଟେ ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗସ୍ତ ଆଗକୁ ଥିବାରୁ ରାସ୍ତା ପରିଷ୍କାର କାମକୁ ଜୋରଦାର କରିଛି ସ୍ଥାନୀୟ ପ୍ରଶାସନ  ।

ଅନ୍ୟପଟେ ଏଭଳି ପାଗର ମଜା ଉଠାଇବାକୁ ଭୁଲୁନାହାନ୍ତି ଏଠାକୁ ଆସିଥିବା ପର୍ଯ୍ୟଟକ । କେଦାରନାଥ ମନ୍ଦିରରେ ଏବେ ବରଫର ମୋଟା ଆସ୍ତରଣ ଜମି ରହିଛି  । ରାସ୍ତାଘାଟ ଦେଖାଯାଉନଥିବା ବେଳେ ସମ୍ପୂର୍ଣ୍ଣ ପାର୍ବତ୍ୟାଂଚଳର ତାପମାତ୍ରା ତଳକୁ ଖସିବାରେ ଲାଗିଛି  । ତେବେ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବରଫ ହଟାଇକୁ ଜୋରଦାର ଉଦ୍ୟମ ଜାରି ରହିଛି  । ଗତକିଛି ଦିନ ହେଲ ଉତର ଭାରତର ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡରେ ପ୍ରବଳ ବରଫପାତ ଜାରି ରହିଛି  ।

ଉଲ୍ଲେଖ ଥାଉ କି, ଉତର ଭାରତର ତିନିଟି ପାହାଡି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳପ୍ରଦେଶ , ଜମ୍ମୁକଶ୍ମୀର ଓ ଉତରାଖଣ୍ଡରେ ବରଫ ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁକଶ୍ମୀରର ଶ୍ରୀନଗର ସମେତ ଲଦାଖ ଓ ଲେହ ଅଂଚଳରେ ପ୍ରବଳ ତୁଷାର ପାତ ହୋଇଛି । ଚାରିଆଡେ ତୁଷାର ପଡିବା ଯୋଗୁଁ ସମଗ୍ର ଅଂଚଳ ଯେମିତି ଧଳା ଚାଦର ଘୋଡେଇ ହେବା ପରି ଲାଗୁଛି । ଧଳା ଚାଦରରେ ଘୋଡେଇ ହୋଇଛି ଘର ଦ୍ୱାରା, ଗଛ ପାହାଡ ।

ତୁଷାର ଜମା ହେବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଏହାକୁ ହଟାଇବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ୯ବର୍ଷ ପରେ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ହିଁ ତୁଷାରପାତ ଆରମ୍ଭ ହୋଇଛି । ଅନ୍ୟପଟେ ତୁଷାରପାତ ଯୋଗୁଁ ବଦ୍ରିନାଥ ଦର୍ଶନ ପାଇଁ ଯାଇଥିବା ୪୨ ଜଣ ଓଡିଆ ତୀର୍ଥ ଯାତ୍ରୀ ଅଧାବାଟରେ ଫଶିଯାଇଥିଲେ ତେବେ ଏନେଇ ସୂଚନା ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିଲା । ତେବେ ବରଫପାତ କମିବାରୁ ରାସ୍ତା ସଫା କରାଯାଇ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା ।