୧୯ ବର୍ଷ ବିତିଛି ! ତଥାପି କାଳ ରାତିର କରୁଣ ଚିତ୍ର ମନରୁ ଲିଭିନି ।

162

କନକ ବ୍ୟୁରୋ : ସେଦିନର ସେହି ହୃଦୟ ବିଦାରକ କାହାଣୀ ! ଆଜିବି ମନେ ପଡିଲେ ଲୋମଟାଙ୍କୁରି ଉଠେ । ଅକ୍ଟୋବର ମାସ ଆସିଲେ ବରକନ୍ଦା ତେନ୍ତୁଳିପଦା ଗାଁ ଲୋକଙ୍କ ମଧ୍ୟରେ ଛାତିରେ ଛନକା ପଶୁଛି । ୧୯୯୯ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ପୁରା ଗାଁ । ଆଉ ଚାଲିଯାଇଥିଲା ଅନେକ ଧନଜୀବନ । ଇତି ମଧ୍ୟରେ ୧୯ ବର୍ଷ ବିତିଯାଇଛି, କିନ୍ତୁ ସେଦିନର ସେହି କଳାରାତିକୁ ଆଜିବି ମନେ ରଖିଛନ୍ତି ମହାକାଳପଡା ତେନ୍ତୁଳିପଦାର ତପସ୍ୱିନୀ ସେନାପତି । ଆଖି ଆଗରେ ଭାସିଯାଇଥିଲେ ତାଙ୍କର ପୁରା ପରିବାର । ଆଉ କିଛିଟା ସମୟ ମଧ୍ୟରେ ସବୁକିଛି ହରାଇ ବସିଥିଲେ ତପସ୍ୱିନୀ ।

୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ସାରା ଓଡିଶାରେ ଲାଗି ରହିଥାଏ ପ୍ରବଳ ବର୍ଷା ପବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ତେନ୍ତୁଳିପଦାରେ ଆତଙ୍କିତ ଅବସ୍ଥାରେ ଥାଆନ୍ତି ଲୋକେ । ତପସ୍ୱିନୀଙ୍କ ପରିବାର ମଧ୍ୟ ଭୟଭୀତ ହୋଇ ରହିଥାନ୍ତି । ଆଉ ଏହାରି ମଧ୍ୟରେ ତାଙ୍କ ଘରେ ଅଧିକ ପରିମାଣରେ ପାଣି ପଶିଯାଇଥିଲା । ଘରେ ରହିବା ଆଉ ସମ୍ଭବ ନୁହେଁ ଜାଣିବା ପରେ ଗାଁ ମଧ୍ୟରେ ଥିବା ଆଉ ଏକ ଘରକୁ ବାହାରିଥିଲେ ତପସ୍ୱିନୀଙ୍କ ପୁରା ପରିବାର । ବାପା, ଦାଦାଙ୍କ ସମେତ ମୋଟ ୫ ଜଣ ଘରୁ ହାତ ଧରାଧରି ହୋଇ ରାତିରେ ଗାଁ ମଝିରେ ଥିବା ଆଉ ଏକ ଘରକୁ ଯାଉଥିଲେ । ଆଉ ଠିକ୍ ଏହି ସମୟରେ ଘଟିଥିଲା ସେହି ଲୋମଟାଙ୍କୁରା ଘଟଣା ।

ହଠାତ ପ୍ରବଳ ବେଗରେ ପବନ ସହ ମାଡିଆସିଥିଲା ସମୁଦ୍ର ଜୁଆର । ଆଉ ଚାହୁଁ ଚାହୁଁ ଭସାଇ ନେଇଥିଲା ତପସ୍ୱିନୀଙ୍କ ପୁରା ପରିବାରକୁ । ତେବେ ଭାଗବାନ କୃପାରୁ ତପସ୍ୱିନୀ ଏବଂ ତାଙ୍କ ଭଉଣୀ ବଞ୍ଚିଯାଇଥିଲେ ସତ କିନ୍ତୁ ହରାଇ ଦେଇଥିଲେ ନିଜ ପୁରା ପରିବାରକୁ । କ୍ଷଣିକ ମଧ୍ୟରେ ଶେଷ ହୋଇଯାଇଥିଲା ସବୁକିଛି । କିନ୍ତୁ ବର୍ଷା ନିଜ ପ୍ରକୋପ ଜାହିର କରାଚାଲିଥାଏ । ଶେଷରେ ଜୀବନ ବଞ୍ଚାଇବାକୁ ଦୁଇ ଭଉଣୀ ଗାଁ ନିକଟରେ ଥିବା ଏକ ତେନ୍ତୁଳି ଗଛ ଉପରକୁ ଚଢିଯାଇଥିଲେ । ମୃତ୍ୟୁ ସହ ଏକ ପ୍ରକାର ସଂଘର୍ଷ କରୁଥାନ୍ତି ତପସ୍ୱିନୀ ଏବଂ ତାଙ୍କ ଭଉଣୀ । ସାରା ରାତି ସେହି ଗଛ ଉପରେ ବସି ରହିଥିଲେ ତପସ୍ୱିନୀ । ଗୋଟିଏ ପଟେ ମନରେ ଥାଏ ପରିବାରକୁ ହରାଇବାର ଦୁଃଖ ଅନ୍ୟ ପଟେ ଚାଲିଥାଏ ଜୀବନ ବଞ୍ଚାଇବାକୁ ସଂଘର୍ଷ ।

ଏହାରି ମଧ୍ୟରେ କଟିଯାଇଥିଲା ସାରା ରାତି ଏବଂ କୋହର କିରଣ ନେଇ ଆସିଥାଏ ସକାଳ । କିଏ ନିଜ ପରିବାରକୁ ଖୋଜୁଥାଏ ତ ଆଉ କିଏ ନିଜ ଭାଙ୍ଗିଯାଇଥିବା ଘରକୁ ଦେଖି ମୁଣ୍ଡରେ ହାତ ଦେଇ ବସିଥାଏ । ଗାଁରୁ ପାଖାପାଖି ୪ କିମ୍ବା ୫ କିଲୋମିଟର ଦୂରରେ ତପସ୍ୱିନୀଙ୍କ ନିଖୋଜ ପରିବାରର ମୃତ ଦେହକୁ ଦେଖିଥିଲେ ଗ୍ରାମବାସୀ । ଇତି ମଧ୍ୟରେ ୧୯ ବର୍ଷ ବିତିଯାଇଛି । କିନ୍ତୁ ଆଜି ବି ସେହି ଘଟଣାକୁ ଭୁଲି ପାରି ନାହାନ୍ତି ତପସ୍ୱିନୀ । ଏବେ ତାଙ୍କ ବୟସ ୩୫ ବର୍ଷରେ ପହଞ୍ଚିଥିବା ବେଳେ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ତପସ୍ୱିନୀ ।