ଖୋଲିବ ଶିଖ୍ ବିରୋଧୀ ଦଙ୍ଗାର ଫାଇଲ ! ପୁଣି ତଦନ୍ତ ପାଇଁ ନୂଆ ଏସଆଇଟି ଗଠିତ

54

କନକ ବ୍ୟୁରୋ : ପୁଣିଥରେ ଖୋଲିବ ଶିଖ୍ ଦଙ୍ଗାର ଫାଇଲ୍ । ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗାର ୧୮୬ଟି ବନ୍ଦ ହୋଇଥିବା ଫାଇଲ୍ ପୁଣିଥରେ ଖୋଲିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ୍ । ଏନେଇ ପୁଣିଥରେ ଯାଂଚ କରାଯିବା ସହ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ଫାଇଲ୍ ଗୁଡ଼ିକୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବନ୍ଦ କରିଥିଲା । ସୁପ୍ରିମକୋର୍ଟ ଏସଆଇଟି ବିରୁଦ୍ଧରେ ମାମଲାକୁ ଗ୍ରହଣ କରିବା ସହ ପୁନଃତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦଙ୍ଗା ହୋଇଥିଲା । କେବଳ ଦିଲ୍ଲୀରେ ହିଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ପୁନଃ ଯାଂଚ ବିଭିନ୍ନ ନେତାଙ୍କ ସମସ୍ୟା ବଢ଼ାଇବା କୁହାଯାଉଛି ।

୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାଗୁଡ଼ିକ ମଧ୍ୟରୁ ୧୮୬ଟି ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏହି ମାମଲାଗୁଡ଼ିକର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଦଙ୍ଗା ପୀଡ଼ିତଙ୍କ ମଧ୍ୟରେ ନୂତନ ଆଶା ସଂଚାର ହୋଇଛି । ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏସଆଇଟି ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ମାମଲାଗୁଡ଼ିକର ତଦନ୍ତ କରୁଥିଲେ । କିନ୍ତୁ ଉକ୍ତ ଏସଆଇଟି ମାମଲାଗୁଡ଼ିକଣ ସଠିକ୍ ତଦନ୍ତ ନକରି ଏହାକୁ ବନ୍ଦ କରିଦେବା ଫଳରେ ସଙ୍କଟ ଉପୁଜିଥିଲା । ଏବେ ସୁପ୍ରିମ୍ କୋର୍ଟ ନିଜସ୍ୱ ଏସଆଇଟି ତଦନ୍ତଭାର ନେବ ବୋଲି ଘୋଷଣା କରିବା ପରେ ଏ ବାବଦ ତଦନ୍ତ ଓ ଶୁଣାଣି ତ୍ୱରାନ୍ଵିତ ହେବ ବୋଲି ଆଶା କରାଯାଉଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଜଣେ ଶିଖ୍ ସୁରକ୍ଷା କର୍ମୀଙ୍କ ଦ୍ୱାରା ହତ୍ୟା ପରେ ଏହାକୁ ନେଇ ଦେଖା ଦେଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପାଖାପାଖି ୩,୦୦୦ ଜଣ ପ୍ରାଣ ହରାଇଥିଲେ । ଏହି ଶିଖ୍ ବିରୋଧୀ ଦଙ୍ଗା ମାମଲାର ତଦନ୍ତ ପାଇଁ ଫେବୃଆରୀ ୨୦୧୫ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରାଯାଇଥିଲା । କିନ୍ତୁ ଦୁଇବର୍ଷ ବିତିଯିବା ପରେ ଏସଆଇଟି ୨୦୧୭ ମସିହାରେ ଦର୍ଶାଇଥିଲେ ଯେ ଏହା ୧୨ଟି ମାମଲାରେ ଚାର୍ଜ ଫାଇଲ୍ କରିଛନ୍ତି ଏବଂ ୨୪୧ଟି ମାମଲା ବନ୍ଦ କରିଦେଉଛନ୍ତି । ତେବେ ଏସଆଇଟିର ଉକ୍ତ ୨୪୧ ମାମଲା ବନ୍ଦ କରିବା ନିଷ୍ପତ୍ତିକୁ ତର୍ଜମା କରିବାପାଇଁ ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୦୧୬ ତାରିଖରେ ଏକ ପ୍ୟାନେଲ ଗଠନ କରିଥିଲେ ଏବଂ ତିନି ମାସ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ଦେବାପାଇଁ କହିଥିଲେ । ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ଉକ୍ତ ପ୍ୟାନେଲ ୧୮୬ଟି ଶିଖ୍ ବିରୋଧୀ ମାମଲାର ପୁନଃତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବାପରେ କୋର୍ଟ ଉକ୍ତ ମାମଲାଗୁଡ଼ିକର ପୁନଃତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।