ନୀରପ୍ରୀତ୍ ବୟାନ କଲେ ୧୯୮୪ ଦଙ୍ଗାର ହୃଦୟଥରା କାହାଣୀ ! କହିଲେ ବଂଚିବା ପାଇଁ ନାଳକୁ ଡେଇଁ ପଡ଼ିଥିଲେ ବାପା, ବାହାର କରି ଜୀବନ୍ତ ଜଳାଇ ଦେଇଥିଲେ ବିଶୃଙ୍ଖଳ ଜନତା

152

ଦୀର୍ଘ ୩୪ ବର୍ଷ ପରେ ମିଳିଛି ନ୍ୟାୟ । ଦଙ୍ଗାରେ ବାପାଙ୍କୁ ହରାଇଥିବା ନୀରପ୍ରୀତ କୌର ବୟାନ କରିଛନ୍ତି ସେଦିନର ହୃଦୟଥରା କାହାଣୀ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ପୀଡ଼ିତା ନୀରପ୍ରୀତଙ୍କ ବୟସ ସେତେବେଳେ ମାତ୍ର ୧୬ ବର୍ଷ । ଉକ୍ତ ଦିନର ଘଟଣା କିନ୍ତୁ ସ୍ପଷ୍ଟ ଭାବେ ମନେଅଛି । ତାଙ୍କ ଆଖି ସାମ୍ନାରେ ହିଁ ତାଙ୍କ ବାପାଙ୍କୁ ଜୀବନ୍ତ ଜଳାଇ ଦିଆଯାଇଥିଲା । ରାଗରେ ଥିବା ଜନତା ଦିଲ୍ଲୀର ରାଜନଗରରେ ୧ ଡିସେମ୍ବର ୧୯୮୪ରେ ଏକ ଗୁରୁଦ୍ୱାରା ପାଖରେ ନୀପ୍ରୀତଙ୍କ ବାପା ନିର୍ମଳ ସିଂଙ୍କୁ ଜୀବନ୍ତ ଜଳାଇ ଦେଇଥିଲେ । ଆଜି ଦିଲ୍ଲୀ ହାଇକୋର୍ଟ ଶିଖ୍ ବରୋଧୀ ଦଙ୍ଗାର ଦୋଷୀ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଉ ଦୋଷୀକୁ ଦଣ୍ଡ ମିଳିବା ପରେ ମିଡ଼ିଆ ସହ ଆଲୋଚନା ସମୟରେ ନୀରପ୍ରୀତ କାନ୍ଦି ପକାଇଥିଲେ ।

ସଜ୍ଜନ କୁମାରଙ୍କୁ ଏକ ପରିବାରର ପାଂଚ ଜଣ ଲୋକଙ୍କ ହତ୍ୟା କରିବା ଓ ଗୁରୁଦ୍ୱାରାରେ ନିଆଁ ଲଗାଇବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅପରାଧିକ ଷଡଯନ୍ତ୍ର, ହିଂସା ସୃଷ୍ଟି ଅଭିଯୋଗ ଓ ଦଙ୍ଗା ପାଇଁ ଉସକାଇବା ଭଳି ଅଭିଯୋଗ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନୀରପ୍ରୀତ୍ କହିଛନ୍ତି ମୋତେ ଦୀର୍ଘ ୩୪ ବର୍ଷ ପରେ ନ୍ୟାୟ ମିଳିଛି ।

ନୀରପ୍ରୀତ୍ ଘଟଣା ଦିନର ଗୋଟି ଗୋଟି କଥା ମିଡ଼ିଆ ସାମ୍ନାରେ ବଖାଣିଛନ୍ତି । ନୀରପ୍ରୀତଙ୍କ ପିତା ନିର୍ମଳ ସିଂଙ୍କ ଉପରେ କିରୋସିନ୍ ଢ଼ାଳି ଦିଆଯାଇଥିଲା । ଆଉ ।ତା’ପରେ ମାଚିସ୍ ଲଗାଇ ଜୀବନ୍ତ ଜଳାଇ ଦେଇଥିଲେ ବିଶୃଙ୍ଖଳ ଜନତା । ତେବେ ନିର୍ମଳ ସିଂ ନିଜକୁ ବଂଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ବଂଚିବା ପାଇଁ ନାଳକୁ ଡେଇଁ ପଡ଼ିଥିଲେ । ତଥାପି ଭିଡ଼ ତାଙ୍କୁ ଛାଡ଼ିଲାନି । ନାଳରୁ ଉଠାଇ ଆଣି ଏକ ଖମ୍ବରେ ତାଙ୍କୁ ବାନ୍ଧି ଦିଆଯାଇଥିଲା । ଜୀବନ୍ତ ଥିବାର ଦେଖି ଭିଡ଼ ଭିତରୁ କେହି ଜଣେ ନିର୍ମଳଙ୍କ ଉପରେ ଧଳା ରଙ୍ଗର ପାଉଡ଼ର( ଫସଫରସ୍ ) ଫୋଫାଡ଼ିଥିଲେ, ଯଦ୍ୱାରା ତାଙ୍କ ପୁରା ଶରୀର ଜଳିଯାଇଥିଲା ।

ନୀରପ୍ରୀତ କହିଛନ୍ତି ତାଙ୍କ ପିତାଙ୍କ ହତ୍ୟା ପରେ ଉକ୍ତ ଅଂଚଳର ସାଂସଦ ଥିବା ସଜ୍ଜନ କୁମାର ଭାଷଣରେ କହିଥିଲେ ଯେଉଁ ହିନ୍ଦୁମାନେ ଶିଖଙ୍କ ବଂଶଜ ସେମାନଙ୍କୁ ମାରି ଦେବା ଉଚିତ୍ । ଇନ୍ଦିରା ଗାନ୍ଧୀଙ୍କୁ ମାରିଥିବା ଜଣେ ବି ସର୍ଦ୍ଦାର ଯେପରି ଜୀବନ୍ତ ନରୁହନ୍ତି, ସେଥିପାଇଁ ବାରମ୍ବାର ଭାଷଣଣେ କହୁଥିଲେ ।